ଚିତ୍ରଡ଼ା: ମୟୂରଭଂଜ ଜିଲ୍ଲା ମୋରଡ଼ା ଥାନା ଅଞ୍ଚଳର ବ୍ରାହ୍ମଣମରା ଜଙ୍ଗଲ ନିକଟରେ ଆଜି ମଧ୍ୟାହ୍ନରେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକଟି ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କାଦେଇଛି। ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ମୃତକ ଦ୍ୱୟ ହେଲେ ଛେଲା ମହାକୁଡ଼ (୪୦) ଏବଂ କାଳିଆ ମହାନ୍ତ (୩୦)। ଆହତମାନେ ହେଲେ ପାଗଲୁ ବେହେରା ଓ ଡାକ ମାରାଣ୍ଡି।

Advertisment

ସୂଚନା ଅନୁସାରେ ମୋରଡ଼ା-କୋଷ୍ଠା ମୁଖ୍ୟ ରାସ୍ତାର ବ୍ରାହ୍ମଣମରା ଜଙ୍ଗଲ ନିକଟରେ ଘଟିଛି ଉକ୍ତ ଦୁର୍ଘଟଣା। ଉକ୍ତ ରାସ୍ତାରେ ଇଟା ଲୋଡ଼ କରି ନେଇ କୋଷ୍ଠା ଅଞ୍ଚଳରୁ ଖାଲି କରି ମୋରଡ଼ା ଅଭିମୁଖେ ଫେରୁଥିବା ସମୟରେ ଉକ୍ତ ଟ୍ରକ (ଓଡ଼ି-୧୧-ବି-୦୦୯୨) ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉକ୍ତ ରାସ୍ତରେ ଗୋଟିଏ ବାଙ୍କ ପାଖରେ ହଠାତ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛକୁ ଧକ୍କା ଦେବା ସହିତ ଓଲଟି ପଡିଥିଲା। ଟ୍ରକରେ ଥିବା ମୋରଡ଼ା ଗ୍ରାମର ଶ୍ରୀକାନ୍ତ ମହାକୁଡ଼ଙ୍କ ପୁଅ ଛେଲା ମହାକୁଡ଼ ଏବଂ ଧାନଶୋଳ ଗ୍ରାମର କାଳିଆ ମହାନ୍ତଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ମୋରଡ଼ା ଗ୍ରାମର ଶିବ ବେହେରାଙ୍କ ପୁଅ ପାଗଲୁ ବେହେରା (୪୦) ଏବଂ ମହେଶ୍ୱର ମାରାଣ୍ଡିଙ୍କ ପୁଅ ଡାକ ମାରାଣ୍ଡି (୩୦) ଗୁରୁତର ଆହତ ହୋଇଥିଲେ।

ରାସ୍ତାରେ ଯାଉଥିବା ଲୋକେ ଏହା ଦେଖି ସଙ୍ଗେ ସଙ୍ଗେ ଆମ୍ବୁଲାନ୍‌ସକୁ ଖବର ଦେଇଥିଲେ। ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ୨ ଆହତଙ୍କୁ ଚିକିତ୍ସା ନିମନ୍ତେ କିଶାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକୁ ନେଇଯାଇଥିଲେ। ତେବେ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ଦୁଇଜଣଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଦୁଇଗୁରୁତରଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବାରୁ ଚେତାଶୂନ୍ୟ ରହିଥିବା ଜଣାପଡିଛି।