କାଲିମେଳା: ବୈଠକ ଚାଲିଥିବା ବେଳେ ଜଣେ ଯୁବକ ଉଗ୍ର ରୂପ ନେଇଛି। ରାଗରେ ଉତ୍ତେଜିତ ହୋଇ ବୈଠକରେ ବସିଥିବା ୬ ଜଣଙ୍କୁ ଛୁରୀ ଭୁଶିବା ଯୋଗୁଁ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ମାଧବୀ ରାୟ ଓ ବିଶ୍ୱନାଥ ରାୟ।
ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା କାଳିମେଳା ଥାନା ଅନ୍ତର୍ଗତ ଏମ୍ପିଭି-୩୩ ଗାଁରେ ଆଜି ରାତି ପ୍ରାୟ ସାଢ଼େ ୯ଟାରେ ବୈଠକ ଚାଲିଥିଲା। ଗାଁର କୌଣସି ଏକ ପାରିବାରିକ କଳହକୁ ନେଇ ଆସିଥିବା ଅଭିଯୋଗର ସମାଧାନ ପାଇଁ ରାସ୍ତା ବାହାର କରାଯାଉଥିଲା। ଏହି ସମୟରେ ଉନ୍ମତ ଯୁବକ ଗାଁ ଲୋକଙ୍କର ନିଷ୍ପତ୍ତିକୁ ପସନ୍ଦ ନ କରି ଉଗ୍ରରୂପ ଧାରଣ କରିଥିଲା। ବୈଠକରେ ଉପସ୍ଥିତ ଲୋକେ କିଛି ଭାବିବା ପୂର୍ବରୁ ୬ ଜଣଙ୍କୁ ଛୁରୀ ଭୁଶିଥିଲା। ଫଳରେ ଘଟଣାସ୍ଥଳରେ ଜଣେ ମହିଳା ସମେତ ୨ ଜଣଙ୍କର ମୃତ୍ୟୁ ଘଟିଥିଲା।
ଅନ୍ୟ ଆହତ ବ୍ୟକ୍ତିମାନଙ୍କୁ ପ୍ରଥମେ କାଳିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ମୃତଦେହ ଜବତ କରି ଉନ୍ମତ ଯୁବକକୁ କାବୁ କରିଛି। ଗାଁରେ ପୁଲିସ ମୁତୟନ କରାଯାଇଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣରେ ଅଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/murder1-bk.jpg)