ଜଳେଶ୍ୱର: ଘରକୁ ଫେରିବା ପାଇଁ ଟ୍ରେନ ଧରିବାକୁ ଯାଉଥିବା ସମୟରେ ହାଓଡ଼ା ଏର୍ନାକୁଲମ ସାପ୍ତାହିକ ଏକ୍ସପ୍ରେସ ଟ୍ରେନ୍‌ ଦୁଇ ଜଣ ବଙ୍ଗୀୟ ଶ୍ରମିକଙ୍କ ଉପରେ ମାଡ଼ିଯାଇଛି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ବାରମୁହଁ ରେଲେଓ୍ଵ ଓଭରବ୍ରିଜ୍‌ ନିକଟରେ ଏହି ଘଟଣା ଘଟିଛି। ମୃତକମାନେ ହେଲେ ପଶ୍ଚିମବଙ୍ଗର ବେଲଦା ଥାନା ଦେଉଳୀ ବେଲଦା ଗ୍ରାମର ମନା ଗିରିଙ୍କ ପୁଅ ବବୁଲୁ (୩୨) ଓ ସ୍ୱର୍ଗତ ସନାତନ ମାନ୍ନାଙ୍କ ପୁତ୍ର ନିତାଇ(୫୦)।

Advertisment

ସୂଚନା ଅନୁସାରେ, ବବୁଲୁ ଓ ନିତାଇଙ୍କ ସମେତ ମୋଟ ୨୦ ଜଣ ଶ୍ରମିକ ଜଳେଶ୍ୱର ରେଳ ଓଭରବ୍ରିଜ କାମରେ ନିୟୋଜିତ ଥିଲେ। ପ୍ରତିଦିନ ଏହି ଶ୍ରମିକମାନେ ସକାଳୁ ଜଳେଶ୍ୱରକୁ ଆସିବା ସହ ପୁଣି କାମ ସରିବା ପରେ ଘରକୁ ଫେରିଥାନ୍ତି। ଗତକାଲି ମଧ୍ୟ ଏହି ଶ୍ରମିକମାନେ ସାନ୍ତ୍ରାଗାଛି ଟ୍ରେନ ଧରିବା ପାଇଁ ନୂଆବଜାର ରେଳ ଫାଟକ ନିକଟରୁ ଷ୍ଟେସନ ଅଭିମୁଖେ ରେଳଲାଇନରେ ଚାଲି ଚାଲି ଯାଉଥିଲେ।

publive-image Representative image

ତେବେ ୧୮୨ କିମି ରେଳ ସଙ୍କେତ ଥିବା ଖମ୍ବ ନିକଟରେ ୧୮ ଜଣ ଆଗକୁ ପାରି ହୋଇ ଯାଇଥିଲେ। ଅପ-ଲାଇନରେ ବବୁଲ ଓ ନିତାଇଙ୍କ ପଛରୁ ଆସୁଥିବା ହାଓଡ଼ା ଏର୍ନାକୁଲମ ସାପ୍ତାହିକ ଏକ୍ସପ୍ରେସ(ନମ୍ବର ୨୨୮୭୭) ମାଡ଼ିି ଯାଇ ଥିବା ବେଳେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ଆଗରେ ଥିବା ଅନ୍ୟ ଶ୍ରମିକମାନେ ଏହି ଦୁର୍ଘଟଣା ସମ୍ପର୍କରେ ମଧ୍ୟ ଜାଣି ପାରି ନଥିଲେ।

ଆଜି ପୂର୍ବାହ୍ନ ପ୍ରାୟ ସାଢେ ୧୦ ଟା ସମୟରେ କେତେକ ଲୋକେ ବବଲୁ ଓ ନିତାଇଙ୍କ ଖଣ୍ଡବିଖଣ୍ଡିତ ଶରୀର ଦେଖିବା ପରେ ଘଟଣା ସମ୍ପର୍କରେ ଜଣା ପଡିଥିଲା। ଜିଆରପି ଏନେଇ ଏକ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ କରିଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଯାଇଛି। ଜଳେଶ୍ୱର ଅଞ୍ଚଳରେ ଘଟଣାଟି ଶୋକାକୁଳ ପରିବେଶ ସୃଷ୍ଟି କରିଛି।