କାର ଓଲଟି ଦୁଇ ମୃତ, ଜଣେ ଗୁରୁତର

ଢେଙ୍କାନାଳ: ପଣ୍ଡୁଆ ଫାଣ୍ଡି ଅନ୍ତର୍ଗତ ଖଟୁଆ ହତାଠାରେ ଆଜି ଅପରାହ୍ନରେ ଏକ କାର ଓଲଟି ପଡିବାରୁ କାରରେ ଥିବା ୪ ଜଣଙ୍କ ମଧ୍ୟରୁ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି। ଦୁର୍ଘଟଣା ପରେ କାର ଡ୍ରାଇଭର ଫେରାର ଥିବା ଜଣାଯାଇଛି। ମୃତକମାନେ ହେଲେ ନୀରେଇ ଦାସ(୬୫) ଓ ଲକ୍ଷ୍ମୀ ନାୟକ।

ସୂଚନା ଅନୁଯାୟୀ ମଠକରଗଳା ଗ୍ରାମ ବାଲିସାହିର ସୁଶାନ୍ତ ଦାସଙ୍କ ପତ୍ନୀ ପୁଷ୍ପାଞ୍ଜଳି ବେହେରା (୩୫), ଶାଶୁ ନୀରେଇ ଦାସ(୬୫) ଓ ଆଶା ଦିଦି ଲକ୍ଷ୍ମୀ ନାୟକ ଅଲଟ୍ରାସୋଉଣ୍ଡ ପାଇଁ କାରରେ (ଓଡି-୦୯ବି-୪୦୮୯) ଢେଙ୍କାନାଳ ଆସିଥିଲେ। ଏଠାରେ ଡାକ୍ତର ଦେଖାଇବା ପରେ ନିଜ ଗ୍ରାମକୁ ଫେରୁଥିବା ବେଳେ ଖଟୁଆ ହତାଠାରେ କାରଟି ଭାରସାମ୍ୟ ହରାଇ ବିଲ ଭିତରକୁ ଓଲଟି ପଡିଥିଲା। ଫଳରେ ଘଟଣାସ୍ଥଳରୁ ଶାଶୁ ନିରେଇ, ଆଶା ଦିଦି ଲକ୍ଷ୍ମୀ ଓ ପୁଷ୍ପାଞ୍ଜଳିଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା।

ତେବେ ଡାକ୍ତରଖାନାରେ ନିରେଇ ଓ ଲକ୍ଷ୍ମୀ ମୃତ୍ୟୁବରଣ କରିଥିବା ବେଳେ ପୁଷ୍ପାଞ୍ଜଳିଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତରିତ କରିଛନ୍ତି।

ସମ୍ବନ୍ଧିତ ଖବର