ବିବାହ ପରେ କନ୍ୟା ଛାଡ଼ିବାକୁ ଯାଉଥିବା ବେଳେ ପିକ୍‌ଅପ୍‌ ଭ୍ୟାନ ଧକ୍କାରେ ୨ମୃତ

କୋମନା: ସୋମବାର ଅପରାହ୍ଣ ୩ଟାରେ ଝିଅ ବାହାଘର ସାମଗ୍ରୀ ସହ ପରିବାର ଲୋକଙ୍କୁ ଧରି ବର ଘରକୁ ଯାଉଥିବା ବେଳେ ପିକ୍‌ଅପ୍‌ ଗାଡ଼ିଟି କୋମନା ଥାନା କ୍ରିଷ୍ଣା ଛକ ଜାତୀୟ ରାଜପଥ ୩୫୩ରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ରୁ ଅଧିକ ଆହତ ହୋଇଛନ୍ତି। ମୃତକମାନେ ହେଲେ ହେମ ନିଆଲ (୬୦ ବର୍ଷ) ଓ କୌଶଲ୍ୟା ନିଆଲ (୪୫ ବର୍ଷ)।

ସୂଚନା ଅନୁସାରେ ଗତ ୧୪ ତାରିଖ ନୂଆପଡ଼ା ଜିଲ୍ଲା କୋମନା ଥାନା ତରବୋଡ଼ ଗାଁର ଜଣେ ଯୁବକଙ୍କ ସହ ଉକ୍ତ ଥାନା ଅଧୀନ ବିଲେନଯୋର ଗାଁର ଜଣେ ଯୁବତୀଙ୍କ ବିବାହ ହୋଇଥିଲା। ୧୫ ତାରିଖ ଅପରାହ୍ଣ ୩ଟା ସମୟରେ ପିକ୍‌ଅପ୍‌ ଭ୍ୟାନ୍‌ (ଓଡି ୦୪ ଏଚ୍‌-୯୬୫୨) ଯୋଗେ କନ୍ୟା ପକ୍ଷର ୩୦ରୁ ଅଧିକ ଲୋକ ଯୌତୁକ ସାମଗ୍ରୀ ସହ ଉକ୍ତ ଗାଡ଼ିରେ ଯାଉଥିଲେ। ରାଜପଥରେ ଗାଡ଼ିଟି ଓଲଟିପଡ଼ିବାରୁ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିଲା। ଆହତଙ୍କ ମଧ୍ୟରୁ ୧୭ ଜଣଙ୍କ ସୂଚନା ମିଳିଛି। ସେମାନେ ହେଲେ ଗୁରବାରୀ ନିଆଲ (୩୬), ଭୂମିସୁତା ହଂସ (୧୬), ନାମେ ହଂସ (୫୫), କ୍ଷମାକର ହାତୀ (୬୫), ଡିଙ୍ଗର ନିଆଲ (୧୫), ଚିତ୍ତ ନିଆଲ (୪୫), ଏଚ୍‌. ହଂସ (୬୩ ), ବୀର ହଂସ (୬୫) ସରୋଜିନୀ ନିଆଲ (୧୧) ଗୁରୁ ହଂସ (୬୦), ଭୂମି ହଂସ (୩୦), ସୁନନ୍ଦ ନିଆଲ (୧୮) ଗୌରୀ ହଂସ (୨ ବର୍ଷ), ଶିର ନିଆଲ (୧୬), ସୀମା ହଂସ (୧୫), ଗୌରୀ ହଂସ (୩୦), ଅରୁ ହଂସ (୩୦)। ଦୁର୍ଘଟଣା ଘଟିବା ପରେ ଗାଡ଼ି ଚାଳକ ଫେରାର ହୋଇଯାଇଛି।

ଖବରପାଇ କୋମନା ପୁଲିସ୍‌ ଏବଂ ଅଗ୍ନିଶମ ବିଭାଗ ଆମ୍ବୁଲାନ୍ସ ସହ ଘଟଣାସ୍ଥ​ଳରେ ପହଞ୍ଚି ଆହତଙ୍କୁ କୋମନା ଡାକ୍ତରଖାନାରେ ଭର୍ତି କରିଥିଲେ। ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। କୋମନା ପୁଲିସ୍‌ ମୃତଦେହ ୨ଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ ଜାରି ରଖାଯାଇଛି।

ସମ୍ବନ୍ଧିତ ଖବର