ଫାର୍ସାମାଡ଼ରେ ମା’ଙ୍କ ପରେ ପୁଅର ମୃତ୍ୟୁ: ଥାନା ସାମ୍ନାରେ ମୃତଦେହ ରଖି ଗ୍ରାମବାସୀଙ୍କ ଧାରଣା

ନରସିଂହପୁର: କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ କାଠଖୁଣ୍ଟ ଗ୍ରାମରେ ଗତ ୮ ତାରିଖ ବିଳମ୍ବିତ ରାତିରେ ଗୋଡ଼ାଇ ଗୋଡ଼ାଇ ଫାର୍ସାରେ ହାଣିବା ଘଟଣାରେ ବିନୋଦିନୀ ମହାଳିକଙ୍କର ମୃତ୍ୟୁ ଘଟିଥିଲା। ଏଣେ ଆକ୍ରମଣରେ ଗୁରୁତର ହୋଇଥିବା ବିନୋଦିନୀଙ୍କ ପୁଅ ଆଲୋକଙ୍କର ମୃତ୍ୟୁ ଘଟିବା ପରେ ସାରା ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଆଲୋକଙ୍କ ମୃତଦେହ ଧରି ପତ୍ନୀ ଟିକିନା ନାୟକ, ପରିବାରର ସମସ୍ତ ସଦସ୍ୟ ଓ ଗ୍ରାମବାସୀମାନେ ନରସିଂହପୁର ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ଘଟଣାକୁ ୫ଦିନ ବିତିଥିଲେ ବି ମୁଖ୍ୟ ଅଭିଯୁକ୍ତ ଅର୍ଦ୍ଧେନ୍ଦୁ ଓରଫ ବାଦଲ ମହାଳିକ ଗିରଫ ହୋଇ ନ ଥିବାରୁ ତାକୁ ତୁରନ୍ତ ଗିରଫ କରିବାକୁ ଆନ୍ଦୋଳନକାରୀ ଧାରଣା ଦେଇଥିଲେ। ଗିରଫ କରିବା ପାଇଁ ନରସିଂହପୁର ଥାନା ଅଧିକାରୀ ଅଲେଖ ଗରଡ଼ିଆଙ୍କ ପ୍ରତିଶ୍ରୁତି ଓ ରେଡକ୍ରସ୍‌ ପାଣ୍ଠିରୁ ମୃତକଙ୍କ ପରିବାରକୁ ୨୦ ହଜାର ଟଙ୍କା ସହାୟତା ପ୍ରଦାନ କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ସୂଚନାଯୋଗ୍ୟ, ଗତ ୮ତାରିଖ ବିଳମ୍ବିତ ରାତିରେ କାଠଖୁଣ୍ଟ ଗ୍ରାମର ଆଲୋକ ମହାଳିକ ଓ ଅର୍ଦ୍ଧେନ୍ଦୁ ଓରଫ ବାଦଲ ମହାଳିକ ଏକ ଭୋଜିରୁ ଫେରୁଥିବା ବେ‌ଳେ ପୁରୁଣା କଳିକୁ ନେଇ ଆରମ୍ଭ ହୋଇଥିବା ଚର୍ଚ୍ଚା ଯୁକ୍ତିତର୍କ ଓ ବଚସାରେ ପରିଣତ ହୋଇଥିଲା। ଉତ୍‌କ୍ଷିପ୍ତ ହୋଇ ବାଦଲ ନିଜ ଘରୁ ଏକ ଫାର୍ସା ଆଣି ଆଲୋକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲା।

Sambad

ଆଲୋକଙ୍କ ମା’ ବିନୋଦିନୀ ଓ ବାପା ଶିବ ଏହା ଦେଖିପାରି ପ୍ରତିରୋଧ କରିବାରୁ ସେମାନେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଗାଁ ଲୋକେ ତିନିଜଣଙ୍କୁ ଗୁରୁତର ଅବସ୍ଥାରେ ନରସିଂହପୁର ମେଡିକାଲ ନେଇଥିଲେ। ସେଠାରେ ବିନୋଦିନୀଙ୍କର ମୃତ୍ୟୁ ଘଟିଥିବା ବେଳେ ଆଲୋକ ଓ ତାଙ୍କ ବାପା ଶିବଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା। ଗତକାଲି ରାତିରେ କଟକରେ ଆଲୋକଙ୍କର ମୃତ୍ୟୁ ଘଟିଥିଲା। ଆଲୋକଙ୍କ ପତ୍ନୀ ଟିକିନା ନାୟକଙ୍କ ଅଭିଯୋଗ ଆଧାରରେ ନରସିଂହପୁର ଥାନା ପୁଲିସ ଏହି ଘଟଣାରେ ସଂପୃକ୍ତ ଥିବା ୬ ଜଣଙ୍କ ନାମରେ ମାମଲା ରୁଜୁ କରି ସେମାନଙ୍କ ମଧ୍ୟରୁ ପୁଲିସ ତିନିଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ତେବେ, ମୁଖ୍ୟ ଅଭିଯୁକ୍ତ ବାଦଲ ଏବେ ବି ଫେରାର୍‌ ଅଛି। ସେପଟେ, ଆଲୋକଙ୍କ ବାପା ଶିବ ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ଘଟଣାସ୍ଥଳରେ ସଶସ୍ତ୍ର ପୁଲିସ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର