ମହାନଦୀରେ ହଜିଛି ଠିକଣା: ହୃଦୟ ବିଦାରକ ଦୃଶ୍ୟକୁ ଝୁରୁଛନ୍ତି ପୀଡ଼ିତଙ୍କ ପରିବାର

କୁଜଙ୍ଗ: ମହାନଦୀ ହେଉଛି ଓଡ଼ିଶାବାସୀଙ୍କ ଜୀବନ ରେଖା। ବର୍ଷାଦିନେ ଏହାର ତ୍ରିକୋଣଭୂମି ଜଳାର୍ଣ୍ଣବ ହୁଏ। ମହାନଦୀ ଛାତି ଫୁଲାଇ ଦୁଇକୂଳ ଲଙ୍ଘି ବନ୍ୟା ପରିସ୍ଥିତି ସୃଷ୍ଟି କରିଥାଏ। ପୁଣି ଗ୍ରୀଷ୍ମରେ ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟା ମରୀଚିକାର ଭ୍ରମ ସୃଷ୍ଟି କରିଥାଏ। ଉପକୂଳ ଓଡ଼ିଶାର ସବୁଜିମା, ସବୁଜ ବିପ୍ଳବର ଗୌରବ ଗାଥା ହେଉଛି ମହାନଦୀ। କେବେ ଏହା ଜୀବନର ତ୍ରାଣକର୍ତା ତ କେବେ ସାଜିଥାଏ ମୃତ୍ୟୁ ଦାନବ। ମହାନଦୀର କେତେ ପାଣି ପ୍ରବାହିତ ହେଲାଣି, କେତେ ଜୀବନ ଯାଇଛି ତାର କେହି ହିସାବ ରଖି ନାହିଁ। ତେବେ ବନ୍ୟାଜନିତ ମୃତ୍ୟୁ ଅପେକ୍ଷା ପାଣିରେ ବୁଡ଼ି ଦୁର୍ଘଟଣାର ଠିକଣା ହଜାଉଥିବା ଲୋକଙ୍କ ସଂଖ୍ୟା କିଛି କମ୍‌ ନୁହଁ। ଦୁଃଖଦରିଆର ହୃଦୟ ବିଦାରକ ଦୃଶ୍ୟକୁ ମହାନଦୀ ତାର ନିର୍ଦ୍ଦୟ ହୃଦୟରେ ସାଇତି ରଖିଛି।

Sambad

ଏକାଠି ଦୁଇଥର ଜଳିଛି ୧୦ ଜୁଇ
୨୦୦୪ ମାର୍ଚ୍ଚ ମାସ ଏକ ତାରିଖ ମହାନଦୀ ଗର୍ଭରେ ଚାଲି ଯାଇଥିଲା ନୂଆଗଡ ଗ୍ରାମର ୧୦ ଜଣଙ୍କ ଜୀବନ। ମହାନଦୀ ଆରପାରି କେନ୍ଦ୍ରାପଡା ଜିଲ୍ଲା ବଜ୍ରବାହାକୁଦ ଗ୍ରାମକୁ କ୍ରିକେଟ ମ୍ୟାଚ୍‌ ଖେଳିବାକୁ ଯାଉଥିଲେ ନୂଆଗଡ ଗ୍ରାମର ଉଦୀୟମାନ ଯୁବକମାନେ। ମାତ୍ର ମହାନଦୀରେ ଭାରସାମ୍ୟ ହରାଇ ସେମାନଙ୍କ ଡଙ୍ଗାଟି ବୁଡ଼ି ଯାଇଥିଲା। ଫଳରେ ୧୦ ଜଣଙ୍କର ସଲୀଳ ସମାଧି ଘଟିଥିଲା। କିଛି ସମୟ ପୂର୍ବରୁ ଏହି କୃତୀ ଖେଳାଳିଙ୍କୁ ବିଜୟର ମୁକୁଟ ପିନ୍ଧାଇବା ଆଶାରେ ମେଲାଣି ଦେଇଥିବା ଗାଁଦାଣ୍ଡ କାନ୍ଦବୋବାଳିରେ ଫାଟି ପଡ଼ିଥିଲା। ଗ୍ରାମବାସୀଙ୍କ ଅକ୍ଳାନ୍ତ ଚେଷ୍ଟା ସତ୍ତ୍ବେ ସେମାନଙ୍କ ଜୀବନ ବଞ୍ଚାଇବା ସମ୍ଭବପର ହୋଇ ନଥିଲା। ଗ୍ରାମବାସୀ ଅନୁଶୋଚନାରେ ବୁଡ଼ି ରହିଥିଲେ। ସେହି ଖେଳାଳିଙ୍କ ସ୍ମୃତି ବହନ କରୁଛି ଖେଳପଡିଆରେ ନିର୍ମିତ ଏକ ସ୍ମୃତିସ୍ତମ୍ଭ।
ଏହି ଘଟଣାର ୧୫ ବର୍ଷପରେ ୨୦୧୯ ମସିହା ଜାନୁଆରି ୨ ତାରିଖରେ କୁଜଙ୍ଗ ବ୍ଳକ ମଙ୍ଗରାଜପୁର ପଞ୍ଚାୟତର ହସିଣା ଗ୍ରାମରୁ ୫୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ମେସିନ ଚାଳିତ ଡଙ୍ଗା କେନ୍ଦ୍ରାପଡା ଜିଲ୍ଲା ବତୀଘରକୁ ଯାଉଥିବା ବେଳେ ବୁଡ଼ି ଯାଇଥିଲା। ଯେଉଁ ଦୁର୍ଘଟଣାରେ ୧୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅଧିକାଂଶ ଥିଲେ ଶିଶୁ ଓ ମହିଳା। ହସିଣା ଗ୍ରାମ ଶ୍ମଶାନରେ ୧୦ ଜଣଙ୍କର ଫଟୋ ଚିତ୍ର ଥିବା ଏକ ସ୍ମୃତିସ୍ତମ୍ଭ ସ୍ଥାନୀୟ ବାସୀଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଛି। ନିଜର ପତ୍ନୀ ଏବଂ ପୁତ୍ରକୁ ହରାଇ ଏବେ ମଧ୍ୟ ସେମାନଙ୍କୁ ଝୁରି ହେଉଛନ୍ତି ଆତ୍ମୀୟସ୍ବଜନ। ଗତ ଦୁଇ ଦଶନ୍ଧି ମଧ୍ୟରେ ମହାନଦୀରେ ଏହି ଦୁଇ ଦୁର୍ଘଟଣା ହେଉଛି ସବୁଠାରୁ ବଡ ଡଙ୍ଗାବୁଡି ଘଟଣା। ଏହାକୁ ବାଦ ଦେଲେ ଅନ୍ୟ ସମୟରେ ଏକାଧିକ ଜବୀନ ଯାଇଛି ଏହି ମହାନଦୀ ସ୍ରୋତରେ।

ନଦୀ ପାର ବେଳେ ଭାସିଗଲେ
କିଛି ବର୍ଷପୂର୍ବେ ଜିଲ୍ଲାନାସୀ ପଂଚାୟତ ବରିହାଡିଆ କୁଳମଣି ଦାସ(୫୫) ପହଁରି ନଦୀ ପାର ହେଉଥିବା ସମୟରେ ‌ସ୍ରାତରେ ଭାସି ଯାଇ ପ୍ରାଣ ହରାଇଥିଲେ। କୁଜଙ୍ଗ ଥାନା ବଡପାଳ ଗ୍ରାମର ସୁଦର୍ଶନ ଦାସ ମଇଁଷି ଜଗାରଖା କାର୍ଯ୍ୟ କରନ୍ତି । ନଦୀ ପାର ହେଉଥିବାବେଳେ ସେ ମହାନଦୀରେ ନିଖୋଜ ହୋଇ ଯାଇଥିଲେ। ଦୁଇଦିନ ପରେ ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଥିଲା।

୨ ଦିନ ପରେ ମିଳିଥିଲା ଶବ, ବ୍ରତ ଘରକୁ ଆସି ବୁଡ଼ିଗଲେ
କୁଜଙ୍ଗ ବ୍ଳକ ପାଟପୁର ପଞ୍ଚାୟତର କରତୁଠା ଗ୍ରାମର ଉମେଶ ଚନ୍ଦ୍ର ନାୟକଙ୍କ ପୁତ୍ର ଲକ୍ଷ୍ମୀକାନ୍ତ ନାୟକ(୧୯) କୁଜଙ୍ଗ ଫାର୍ମ ନିକଟରେ ମହାନଦୀରେ ବୁଡି ପ୍ରାଣ ହରାଇଥିଲେ। ସେଠାରେ ଦୁଇଦିନ ଧରି ଓଡ୍ରାଫ୍‌ ଦଳ ଓ ଅଗ୍ନିଶମ ବିଭାଗ ଖୋଜାଖୋଜି କରିବାପରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା।
ଚଳିତମାସ ୬ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ପଳାଶପୁର ଗ୍ରାମର ସରୋଜ ମହାପାତ୍ରଙ୍କ ପୁତ୍ର ଆଶୁତୋଷ ମହାପାତ୍ର(୨୨) ତାଙ୍କର କୁଜଙ୍ଗ ବ୍ଳକ ସାହାରାଡିଆସ୍ଥିତ ନିଜର ମାମୁ ଘରକୁ ସମ୍ପର୍କୀୟ ଭାଇଙ୍କ ବ୍ରତଘର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିଥିଲେ। ନିଜର ଅନ୍ୟ ଜଣେ ସମ୍ପର୍କୀୟ ଭାଇଙ୍କ ସହିତ ମହାନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣି ସୁଅରେ ଭାସି ଯାଇଥିଲେ। ଦୁଇଦିନପରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା।

ସେଲ୍‌ଫି ଉଠାଇବା ପରେ ସଲୀଳସମାଧି
ଗତ ଦୁଇଦିନ ତଳେ ମଧ୍ୟ ଏକ ହୃଦୟ ବିଦାରକ ଘଟଣା ଘଟିଥିଲା। କୁଜଙ୍ଗ ବ୍ଳକ ଅଗପାଳ ପଂଚାୟତର ପଥୁରିଆ ଗ୍ରାମର ରମେଶ ଚନ୍ଦ୍ର ସହୁଙ୍କ ଜ୍ୟେଷ୍ଠପୁତ୍ର ରାଜୀବ ଲୋଚନ ସାହୁ(୧୯), ଦିବାକର ସାହୁଙ୍କ ଏକମାତ୍ର ପୁତ୍ର ଅଭିଜିତ ସାହୁ(୧୭) ମହାନଦୀରେ ଗାଧୋଇବାକୁ ଯାଇଥିବା ବେଳେ ନଦୀ ସ୍ରୋତରେ ଭାସି ଯାଇଥିଲେ। ଦୁହେଁ କଲେରେ ପାଠ ପଢନ୍ତି। ଖୁସିରେ ପଣାସଂକ୍ରାନ୍ତି ଦିନ ଗାଧୋଇବାକୁ ଯାଇ ସେଲ୍‌ଫି ଉଠାଇଥିଲେ। ପରେ ଦୁହେଁ ଗାଧୋଇବା ବେଳେ ଗୋଡ ଖସି ଯିବାରୁ ରାଜୀବଲୋଚନ ନଦୀଗର୍ଭ ସ୍ରୋତରେ ଭାସି ଯାଇଥିଲା। ସାଙ୍ଗକୁ ବଞ୍ଚାଇବା ପ୍ରୟାସ କରିଥିବା ଅଭିଜିତକୁ ମଧ୍ୟ ନିର୍ଦ୍ଦୟ ମହାନଦୀ ଟାଣି ନେଇଥିଲା ତାର ଗର୍ଭକୁ।

ସମ୍ବନ୍ଧିତ ଖବର