ସମ୍ବଲପୁର/ଯୁଯୁମୁରା: ସମ୍ବଲପୁର ଜିଲ୍ଲାରେ ଚଳିତ ମାସରେ ୧୫ ଦିନର ବ୍ୟବଧାନରେ ଟ୍ରେନ୍ ଧକ୍କାରେ ୨ଟି ଦନ୍ତାହାତୀଙ୍କ ମୃତ୍ୟୁ ଘଟିବା ପରେ କିଭଳି ଏହି ଦୁର୍ଘଟଣାକୁ ପ୍ରତିହତ କରାଯାଇପାରିବ ସେନେଇ ଉଭୟ ବନବିଭାଗ ଓ ରେଳ ବିଭାଗ ପକ୍ଷରୁ ଗୁରୁବାର ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଡିଏଫ୍ଓ ଡ.ସଞ୍ଜିତ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ। ତେବେ ଚଳିତ ମାସରେ ଘଟିଥିବା ଦୁର୍ଘଟଣାର ଯେଭଳି ପୁନରାବୃତ୍ତି ନଘଟେ ଓ ସେଥିପାଇଁ କ’ଣ କ’ଣ ସବୁ ପଦକ୍ଷେପ ନିଆଯିବ ସେନେଇ ବୈଠକରେ ୧୨ ସୂତ୍ରୀ ପ୍ରସ୍ତାବ ଆଗତ ହୋଇଛି।
ଯେଉଁ ଯେଉଁ ପଦକ୍ଷେପ ପାଇଁ ପାଣ୍ଠିର ଆବଶ୍ୟକତା ରହିଛି ସେଗୁଡ଼ିକର ବ୍ୟୟ ଅଟକଳ ତୁରନ୍ତ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନିଆଯାଇଛି। ମାନେଶ୍ବରଠାରୁ ଯୁଯୁମୁରା ମଧ୍ୟରେ ରେଳଲାଇନ୍ ଦୋହରୀକରଣ କାର୍ଯ୍ୟ ଜାରି ରହିଥିବା ସମୟରେ କେଉଁ ତ୍ରୁଟି ବା ସମସ୍ୟା ପାଇଁ ହାତୀ ସେମାନଙ୍କ ଚଲାପଥରୁ ବିଚ୍ୟୁତ ହୋଇ ତଳେ ଯିବା ପରିବର୍ତ୍ତେ ରେଳ ଧାରଣାରେ ଯାଉଛନ୍ତି ତାହା ଉପରେ ନଜର ରଖାଯିବ। ତେଣୁ ଉଭୟ ବିଭାଗର ପାଟ୍ରୋଲିଂ ଟିମ୍କୁ ଏଥିପାଇଁ ଆଲର୍ଟ କରାଯାଇଥିବା ସମୟରେ ଆସନ୍ତା ସୋମବାରଠାରୁ ଉଭୟ ଟିମ୍ ଏହି ଲାଇନ୍ରେ ୨୪ ଘଣ୍ଟିଆ ପାଟ୍ରୋଲିଂ କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।
ମାନେଶ୍ବରରୁ ଯୁଯୁମୁରା ମଧ୍ୟବର୍ତ୍ତୀ ଅଞ୍ଚଳରେ ୬ଟି ଅଣ୍ଡର୍ପାସ୍ ନିର୍ମାଣ ପାଇଁ ବନବିଭାଗ ପକ୍ଷରୁ ପୂର୍ବରୁ ରେଳବାଇକୁ ପ୍ରସ୍ତାବ ଦିଆଯାଇଥିଲା। ତେବେ କେଉଁ ସ୍ଥାନରେ ଏହି ଅଣ୍ଡରପାସ୍ଗୁଡ଼ିକ ନିର୍ମାଣ ହେବ ସେନେଇ ଆସନ୍ତା ସୋମବାର ଉଭୟ ବିଭାଗ ପକ୍ଷରୁ ଯୁଗ୍ମସର୍ଭେ କରି ସ୍ଥାନ ଚିହ୍ନଟ କରାଯିବ। ରେଳ ଧାରଣାକୁ ସ୍ପଷ୍ଟ ଭାବେ ଦେଖିବା ଓ ହାତୀଙ୍କ ଗତିବିଧି ଉପରେ ଚାଳକଙ୍କ ନଜର ପାଇଁ ରେଳଧାରଣାର ଉଭୟ ପାର୍ଶ୍ବରେ ୫ ମିଟର ଯାଏ ଥିବା ବୁଦା ଓ ଗୁଳ୍ମଜାତୀୟ ଗଛକୁ ସଫା କରାଯିବ। ରେଳଧାରଣାର ଉଭୟ ପାର୍ଶ୍ବରେ କେଉଁ କେଉଁ ସ୍ଥାନରେ ସୂଚନା ଫଳକ ଜରୁରୀ ରହିଛି ତାହାର ସର୍ବେକ୍ଷଣ କରିବା ସହ ଆବଶ୍ୟକସ୍ଥଳେ ଅଧିକ ସୂଚନା ଫଳକ ଲାଗିବ।
କୌଣସି ଦୁର୍ଘଟଣା ଘଟିଲେ କିଭଳି ଭାବେ ସୂଚନା ପ୍ରଦାନ କରାଯିବ ସେନେଇ ଉଭୟ ବିଭାଗର କଣ୍ଟ୍ରୋଲ ରୁମ୍ ପାଇଁ ଏକ ୟୁନିଟ୍ ଗଠନ କରାଯାଇଛି। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ଏହି ହାତୀ ଚଲାପଥରେ ସାବଧାନତାମୂଳକ ବୋର୍ଡ ଲାଗିଥିବା ସମୟରେ ଘଣ୍ଟା ପ୍ରତି ୨୦ରୁ ୩୦ କିମି ବେଗରେ ଟ୍ରେନ୍ ଯିବା କଥା। କିନ୍ତୁ ଟ୍ରେନ୍ଗୁଡ଼ି ଘଣ୍ଟା ପ୍ରତି ୫୦ କିମି ବେଗରେ ଯାଉଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ତେଣୁ ସପ୍ତାହକ ପାଇଁ ପରୀକ୍ଷାମୂଳକ ଭାବେ ଏହି ରୁଟ୍ରେ ଟ୍ରେନ୍ଗୁଡ଼ିକର ବେଗକୁ ୨୦ କିମି ପ୍ରତି ଘଣ୍ଟା ଯାଏ କମାଇ ଦିଆଯାଇଥିବା ସମୟରେ ବେଗ କମିଲେ କି କି ସମସ୍ୟା ସୃଷ୍ଟି ହେଉଛି ସେନେଇ ରେଳବାଇ ତାହାର ବୋର୍ଡକୁ ଲିଖିତ ଭାବେ ରିପୋର୍ଟ ଦେବ। ସେପଟେ, ଗତ ୨୦ ତାରିଖ ରାତିରେ ହୋଇଥିବା ଦୁର୍ଘଟଣାରେ ଟ୍ରେନ୍ ଚାଳକଙ୍କୁ ଉଭୟ ରେଳ ବିଭାଗ ଓ ବନବିଭାଗ ପକ୍ଷରୁ ପଚରାଉଚରା କରାଯିବ ବୋଲି ଜଣାପଡ଼ିଛି।