ସଡକ ଦୁର୍ଘଟଣା : ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ

ରାଉରକେଲା: ଝାରଖଣ୍ଡ ଗୁମ୍‌ଲା ଘାଘରା ଥାନା ଅନ୍ତର୍ଗତ ଦୋଦାଙ୍ଗ ଗ୍ରାମ ନିକଟରେ ସଡକ ଦୁର୍ଘଟଣାରେ ବାସନ୍ତୀକଲୋନୀର ଯୁବ ଇଞ୍ଜିନିୟର କୃଷ୍ଣ କୁମାର ଭାରତୀ (୪୫)ଙ୍କର ମୃତ୍ୟୁ ଘଟିଛି। ସେ ଆରଏସ୍‌ପିରେ ଇଞ୍ଜିନିୟର ଭାବେ କାମ କରୁଥିବା ଜଣାପଡିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଗୁମଲା ସ୍ଥିତ ସଦର ହସ୍ପିଟାଲକୁ ପଠାଇଛି। ପରେ ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ଘଟଣାର ଅନୁସନ୍ଧାନ ଜାରି ରଖିଛି। ରାଉରକେଲା ବାସନ୍ତୀକଲୋନୀର କୃଷ୍ଣ କୁମାର ଭାରତୀ ନିଜ ଟୟୋଟା କାର ଓଆର୧୪ ଏକ୍ସ-୪୬୮୭ରେ ଗୁମ୍‌ଲା ଦେଇ ଲୋହରଦଗାର ନିଜ ସମ୍ପର୍କୀୟଙ୍କ  ଘରକୁ   ଯାଉଥିଲେ।

ଘାଘରା ଥାନା ଅନ୍ତର୍ଗତ ଦୋଦାଙ୍ଗ ଗ୍ରାମ ନିକଟରେ ବିପରୀତ ପାର୍ଶ୍ୱରୁ ଦ୍ରୁତ ଗତିରୁ ଆସୁଥିବାର ପିକ୍‌ଭ୍ୟାନ ସହ କାରର ମୁହାଁମୁହିଁ ଧକ୍କା  ହୋଇଥିଲା। ଧକ୍କା ଏତେ ଜୋରଥିଲା ଯେ, ପିକ୍‌ଭ୍ୟାନ ପଛ ଚକ୍କା ଗାଡିରୁ ସମ୍ପୂର୍ଣ୍ଣ ବାହାରି ଯାଇଥିଲା। କୃଷ୍ଣ ନିଜ କାର ଭିତରେ ଚାପି ହୋଇ ରହିଯାଇଥିଲେ। ସ୍ଥାନୀୟ ଲୋକ ତାଙ୍କୁ କାର ଭିତରକୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ପୁଲିସ ପହଞ୍ଚି ଗ୍ୟାସ କଟର ସହାୟତାରେ କାରର ଗେଟ୍‌ କାଟି ଭିତରକୁ ବାହାର କରାଯାଇଥିଲା। ସେତେବେଳକୁ କାର ଭିତରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୁଲିସ ଠାରୁ ଖବର ପାଇବା ପରେ ପରିବାର କୃଷ୍ଣଙ୍କ ଶବ ଆଣିବାକୁ ଝାଡଖଣ୍ଡ ଯାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର