ଯାଜପୁର: ବିରି ଫସଲ କ୍ଷେତ୍ରକୁ ଗୋରୁ ଛାଡି କ୍ଷେତ ନଷ୍ଟ ହେଉଥିବା ଘଟଣାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି। ଫଳରେ ଗୋଟିଏ ପରିବାରର ବଡ ପୁଅ ମୃତ୍ୟୁ ବରଣ କରିଥିବା ବେଳେ ସାନପୁଅ ଜୀବନ ସହ ସଂଗ୍ରାମ କରୁଛି। ଏପରି ଘଟଣା ଘଟିଛି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଧୁଦୁରାଅନ୍ତା ପଞ୍ଚାୟତ କୁଆଁରସାହି ଅଞ୍ଚଳରେ।
ସୂଚନା ଅନୁସାରେ ଉକ୍ତ ଗ୍ରାମର ଅଶୋକ ଜେନା ଅନ୍ୟ ଜମିରେ ବିରି ଚାଷ କରିଥିଲେ। ତେବେ ଉକ୍ତ ଗ୍ରାମର ସୌମ୍ୟରଂଜନ ମହାପାତ୍ର ଓ ତାଙ୍କ ଭାଇ ଗାଈ ନେଇ ଦୈନିକ ଅଶୋକଙ୍କ କ୍ଷେତ ପାଖରେ ବାନ୍ଧି ଆସୁଥିଲେ। ଗାଈ କ୍ଷେତରୁ ବିରି ଖାଇ ଯାଇ ଫସଲ ନଷ୍ଟ କରୁଥିବାରୁ ଏହାକୁ ଅଶୋକ ବାରଣ କରିବା ସହ ଗାଈ ନଛାଡିବାକୁ କହିଥିଲେ। ତେବେ ପୁନର୍ବାର ସୌମ୍ୟରଂଜନ ଅଶୋକ ଜମିକୁ ଲଗାଇ ଗାଈ ବାନ୍ଧିଥିଲେ। ଯାହାକୁ ଦେଖି ଅଶୋକଙ୍କ ବଡପୁଅ କାର୍ତ୍ତିକ ଜେନା ସୌମ୍ୟରଂଜନଙ୍କ ଘରକୁ ଯାଇ ଗାଈ କଣ ପାଇଁ ଚାଷ ଜମି ପାଖରେ ବାନ୍ଧୁଛ ବୋଲି ପ୍ରଶ୍ନ କରିଥିଲେ।
ଏଥିରେ ଉତ୍ତ୍ୟକ୍ତ ହୋଇ ସୌମ୍ୟ କାର୍ତ୍ତିକଙ୍କୁ ମାଡ ମାରିଥିଲେ। ଏପରିକି ତାଙ୍କ ମୁଣ୍ଡକୁ ଶକ୍ତ ଆଘାତ କରିଥିଲେ। ଏହି ଖବର ପାଇଁ କାର୍ତ୍ତିକଙ୍କ ସାନ ଭାଇ ବଂଶୀଧର ଓ ବାପା ପହଞ୍ଚି ଥିବା ବେଳେ ତାଙ୍କୁ ମଧ୍ୟ ଅଭିଯୁକ୍ତ ସୌମ୍ୟରଂନ ଓ ତାଙ୍କ ଭାଇ ଦିପ୍ତିରଂଜନ ମାଡ ମାରିଥିଲେ। ପରେ ସ୍ଥାନୀୟ ଲୋକ ୩ ଜଣଙ୍କୁ ଉଦ୍ଧାର କରି ପ୍ରଥମେ ମଙ୍ଗଳପୁର ଓ ପରେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଦୁଇ ପୁଅଙ୍କ ଅବସ୍ଥା ଗୁରୁତର ଥିବାରୁ କାର୍ତ୍ତିକ ଓ ବଂଶୀଧର କଟକ ସ୍ଥାନାନ୍ତରିତ ହୋଇଥିଲେ।
ତେବେ ଗତ ରାତିରେ କାର୍ତ୍ତିକଙ୍କ ମୃତ୍ୟୁ ହୋଇଥିବା ବେଳେ ବଂଶୀଧର ଗୁରୁତର ଥିବା ତାଙ୍କ ବାପା ସାମାନ୍ୟ ଆହତ ହୋଇଥିବା ଅଶୋକ ମଙ୍ଗଳପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ଦ୍ବୟ ଫେରାର ଥିବା ବେଳେ ଆଜି ଏସଡିପିଓ ଏନସି ବାରିକ, ଥାନାଧିକାରୀ ଅସିତ ରଂଜନ ମହାନ୍ତି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଅଭିଯୁକ୍ତଙ୍କ ବଡବାପା କୈଳାସ ମହାପାତ୍ରଙ୍କୁ ଅଟକ ରଖିଛନ୍ତି।