ତହସିଲ ଅଫିସ୍‌ରେ ଠେଲାପେଲା ଓ ଗାଳିଗୁଲଜ୍ ଘଟଣା: ଜେଲ୍‌ ଗଲେ ଦୁଇ ଚାଷୀ

କେନ୍ଦ୍ରାପଡ଼ା/ପଟ୍ଟାମୁଣ୍ତାଇ: ବେଆଇନ ଇଟାଭାଟି ବନ୍ଦ ପାଇଁ ଗୁହାରୀ କରିବାକୁ ଆସିଥିବା ଚାଷୀଙ୍କ ସହିତ ତହସିଲଦାର ଦିଲ୍ଲୀପ କୁମାର ସେଠୀଙ୍କ ଉଚ୍ଚବାଚ, ଠେଲାପେଲା ଘଟଣାରେ ପୁଲିସ ଆଜି ଦୁଇ ଚାଷୀଙ୍କୁ ଗିରଫ କରି କୋର୍ଟଚ‌ାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌ ପଠାଇ ଦିଆଯାଇଛି। ଏହି ଦୁଇ ଚାଷୀ ହେଉଛନ୍ତି କଣିପାଳ ଗ୍ରାମର ଦୋଳଗୋବିନ୍ଦ ସାହୁ ଓ ଉଦୟଭାନୁ ସାହୁ। ଗତକାଲି ତହସିଲଦାର ଏହି ଦୁଇ ଚାଷୀଙ୍କ ସମେତ ସାମ୍ବାଦିକ ପ୍ରଦୋଷ କୁମାର ବିଶ୍ବାଳଙ୍କ ନାମରେ ପଟ୍ଟାମୁଣ୍ତାଇ ଥାନାରେ ଏତଲା ଦେଇଥିଲେ। ତାଙ୍କୁ ଶାରୀରିକ ଆକ୍ରମଣ ଏବ˚ ଗାଳିଗୁଲଜ କରାଯାଇଥିବା ଏତଲାରେ ଦର୍ଶାଇଥିଲେ। କାଠିଆପଡା ଆରଆଇ ସର୍କଲ ଅଧୀନ କଣିପାଳ ଗ୍ରାମରେ ଚାଷ ଜମିରେ ବେଆଇନ ଇଟାଭାଟିକୁ ଲୋକେ ବିରୋଧ କରି ଆସୁଛନ୍ତି। ଇଟାଭାଟି ହେଲେ ଫସଲ ନଷ୍ଟ ହେବ ବୋଲି ଗାଁର ଚାଷୀମାନେ ତହସିଲଦାରଙ୍କୁ ଭେଟି ଅଭିଯୋଗ କରିଥିଲେ। ଅଭିଯୋଗର ତଦନ୍ତ କରି ରିପୋର୍ଟ ଦେବାକୁ କାଠିଆପଡା ଆରଆଇଙ୍କୁ ତହସିଲଦାର ନିର୍ଦ୍ଦେଶ ଦେଇଥିଲେ।

ମାତ୍ର କାର୍ଯ୍ୟାନୁଷ୍ଠାନ ନ ହେବାରୁ ଗତ ୩୧ ତାରିଖ ଦିନ ନବନିର୍ମାଣ କୃଷକ ସଂଘର କର୍ମକର୍ତ୍ତାମାନେ ତହସିଲ୍‌ ଅଫିସରେ ଧାରଣା ଦେଇଥିଲେ। କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ପରେ ସେମାନେ ଧାରଣାରୁ ଉଠିଥିଲେ। କାର୍ଯ୍ୟାନୁଷ୍ଠାନ ନ ହେବାରୁ ପୁର୍ନବାର ଗତକାଲି ଏହି ଚାଷୀମାନେ ତହସିଲ ଅଫିସରେ ପହଂଚିବା ପରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ତହସିଲଦାର ଓ ଚାଷୀଙ୍କ ମଧୢରେ ଯୁକ୍ତିତର୍କ ଓ ଠେଲାପେଲା ହୋଇଥିଲା। ଏହି ସମୟରେ ଅନ୍ୟ ଜଣେ ଚାଷୀ ଗାଳିଗୁଲଜ କରି ଆକ୍ରମଣ ଉଦ୍ୟମ କରିବାରୁ ତହସିଲ କର୍ମଚାରୀ ତାଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ତହସିଲଦାର ତାଙ୍କୁ ଏକ ଚାପୁଡ଼ା ମାରିଥିବାର ଭିଡ଼ିଓ ଭାଇରାଲ୍‌ ହୋଇଥିଲା। ତହସିଲଦାରଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଦଫା, ୩୦୭, ୩୫୫, ୨୯୪, ୩୨୩, ୩୫୨, ୩୫୩, ୫୦୬ ଓ ୩୪ ଆଇପିସିରେ ମାମଲା(୧୬୦/୨୨) ରୁଜୁ କରି ଦୋଳଗୋବିନ୍ଦ ଓ ଉଦୟଭାନୁଙ୍କୁ ଅଟକ ରଖିବା ପରେ ଆଜି ଗିରଫ କରି କୋର୍ଟଚାଲାଣ କରିଥିବା ତଦନ୍ତକାରୀ ଅଫିସର ଅନ୍ତର୍ଯ୍ୟାମୀ ବିଶ୍ବାଳ କହିଛନ୍ତି।

ସମ୍ବନ୍ଧିତ ଖବର