ସମୁଦ୍ରରେ ବଜ୍ରପାତ, ଜଳିଗଲେ ଦୁଇ ମତ୍ସ୍ୟଜୀବୀ ମହିଳା

କେନ୍ଦ୍ରାପଡ଼ା: ଆଜି ସକାଳେ ସମଗ୍ର ଉପକୂଳ ଓଡ଼ିଶରେ ମୌସୁମୀଜନିତ ଝିପି ଝିପି ବର୍ଷା ଲାଗି ରହିଛି। ତେବେ ଏହି ଝିପି ଝିପି ବର୍ଷା ସହିତ ପ୍ରବଳ ଘଡଘଡ଼ି ଓ ବଜ୍ରପାତ ଘଟିିଛି । ବଜ୍ରପାତରେ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ୨ ଜଣ ମହିଳା ମତ୍ସ୍ୟଜୀବୀ ଜୀବନ୍ତ ଜଳିଯାଇଥିବା ବେଳେ ଆଉ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେହିପରି ଜଣେ ଆଶାକର୍ମୀ ମଧ୍ୟ ବଜ୍ରପାତରେ ଆହତ ହୋଇଛନ୍ତି।


ମିଳିଥିବା ସୂଚନା ଅନୁଯାୟୀ, ମହାକାଳପଡ଼ା ବ୍ଲକ ଜମ୍ବୁ ଥାନା ଅଞ୍ଚଳର ୩ ଜଣ ମହିଳା ମତ୍ସ୍ୟଜୀବୀ ଓ ଜଣେ ପୁରୁଷ ମତ୍ସ୍ୟଜୀବୀ ମାଛ ଧରିବାକୁ ଏକ ହୁଲି ଡଙ୍ଗା ନେଇ ସମୁଦ୍ରକୁ ଯାଇଥିଲେ।ଆଜି ସକାଳେ ସେମାନେ ସମୁଦ୍ର ମଧ୍ୟରେ ମାଛ ମାରୁଥିବା ବେଳେ ଆକସ୍ମିକ ବଜ୍ରପାତ ଘଟିଥିଲା। ଫଳରେ ଚାରିଜଣ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ପରିତୋଷ ମଣ୍ଡଳଙ୍କ ପତ୍ନୀ ପ୍ରଣତି ମଣ୍ଡଳ( ୫୫ ବର୍ଷ) ଓ ନିତାଇ ମଣ୍ଡଳଙ୍କ ପତ୍ନୀ ଦିପାଳୀ ମଣ୍ଡଳ(୪୦ ବର୍ଷ)ଙ୍କର ସେହି ଡଙ୍ଗା ଉପରେ ମୃତ୍ୟୁ ଘଟିଥିଲା ଉଭୟଙ୍କ ଶରୀରର ଅଧିକାଂଶ ଅଞ୍ଚଳ ଜଳିଯାଇଛି।ା। ସେହିପରି ତାରକ ମଣ୍ଡଳ(୨୨ ବର୍ଷ) ଓ ସପନ ମଣ୍ଡଳଙ୍କ ପତ୍ନୀ ଦାସୀ ମଣ୍ଡଳ(୪୦ ବର୍ଷ) ଗୁରୁତର ଭାବେ ଆହତ ହୋଇଥିଲେ। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତ କରାଯାଇଛି। ସେହିପରି ପେଣ୍ଠର ଜଣେ ଅଶାକର୍ମୀ ମଧ୍ୟ ବଜ୍ରପାତରେ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର