ବାଇକ୍ ଲୁଟେରା ଗ୍ୟାଙ୍ଗର ୨ ସଦସ୍ୟ ଗିରଫ, ୫ ମୋଟର ସାଇକେଲ ଜବତ

ଖୋର୍ଦ୍ଧା: ଖୋର୍ଦ୍ଧା, ପୁରୀ ଆଦି ଜିଲ୍ଳାର ବିଭିନ୍ନ ସ୍ଥାନରେ ମୋଟର ସାଇକେଲ ଚୋରି କରୁଥିବା ଏକ ଗ୍ୟାଙ୍ଗର ଦୁଇ ସଦସ୍ୟଙ୍କୁ ଧରିବାରେ ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ସକ୍ଷମ ହୋଇଛି। ସେମାନଙ୍କ ଠାରୁ ୫ଟି ମୋଟର ସାଇକେଲ ଜବତ କରାଯାଇଛି। ସୂଚନାନୁସାରେ, ୧୫ ମାର୍ଚ୍ଚ, ଖୋର୍ଦ୍ଧା ଶକୁନ୍ତଳା ମାର୍କେଟ୍ କଂପ୍ଲେକ୍ସ ସମ୍ମୁଖସ୍ଥ ଭିଭୋ ମୋବାଇଲ୍ କମ୍ପାନୀର ସର୍ଭିସ୍ କେନ୍ଦ୍ର ଠାରୁ ଦେବବ୍ରତ ଖଟୁଆଙ୍କ ଏକ ମୋଟର ସାଇକେଲ (ଓଡି୩୩ କେ ୨୧୧୫) ଚୋରି ହୋଇଥିଲା। ଏନେଇ ଅଭିଯୋଗ ପାଇବା ପରେ ପୁଲିସ ୧୨୭/୨୦୨୨ରେ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଥିଲା। ଅନୁସନ୍ଧାନରେ ମୁକୁନ୍ଦପ୍ରସାଦ ମୁସଲିମ ସାହିର ମହମ୍ମଦ ଖାଁନ ଓ ରାଜା ବେହେରାରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା।

୧୮ ମାର୍ଚ୍ଚରେ ମାମଲାର ଅନୁସନ୍ଧାନକାରୀ ଅଧିକାରୀ ଏସ୍ଆଇ ପିଏଲ୍ ବେହେରାଙ୍କ ଏକ ଟିମ୍ ଉଭୟଙ୍କୁ ଗୁରୁଜଙ୍ଗର ଗିନି କାରଖାନା ଛକ ଠାରେ ଉକ୍ତ ଚୋରି କରିଥିବା ମୋଟରସାଇକେଲ ସହ ଗିରଫ କରିଥିଲେ। ସେମାନଙ୍କୁ ଥାନାକୁ ଆଣି ପଚରାଉଚୁରା କରିବାରେ ସେମାନେ ୧୧ ମାର୍ଚ୍ଚରେ ବାଲୁଗାଁରୁ ଗୋଟିଏ ମୋଟରସାଇକେଲ, ପୁରୀରୁ ଦୁଇଟି ମୋଟରସାଇକେଲ ଓ ଖୋର୍ଦ୍ଧାରୁ ଗୋଟିଏ ମୋଟରସାଇକେଲ ଚୋରାଇଥିଲେ। ମୁକୁନ୍ଦପ୍ରସାଦର ରାଜା ବେହେରାଙ୍କ ଜଣେ ସମ୍ପର୍କୀୟଙ୍କ ଘରେ ଆଉ ବଳକା ୪ଟି ମୋଟରସାଇକେଲ ଲୁଚାଇ ରଖିଥିବା କହିଥିଲେ। ଶେଷରେ ଦୁଇଜଣ ସାକ୍ଷୀଙ୍କ ସହ ପୁଲିସ ଉକ୍ତ ସ୍ଥାନରେ ଚଢ଼ଉ କରି ମୋଟରସାଇକେଲ ଗୁଡ଼ିକୁ ଉଦ୍ଧାର କରିଥିଲା। ଉଭୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଗତକାଲି କୋର୍ଟରେ ହାଜର କରାଯିବା ସହ ସେମାନଙ୍କୁ ଜାମିନ ନଦେବା ପାଇଁ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି। ରାଜା ବେହେରାନାମରେ ଖୋର୍ଦ୍ଧା ଟାଉନ୍ ଥାନାରେ ୭୬/୨୦୨୧ରେ ଏକ ମାମଲା ରହିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର