ପୋଖରୀରେ ବୁଡ଼ିଗଲେ ୨ ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ ଘୋଷଣା

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ଥାନା ଅନ୍ତର୍ଗତ ମଳିକମୁଣ୍ଡା ଗ୍ରାମରେ ପୋଖରୀରେ ବୁଡ଼ିଯିବାରୁ ୨ ଜଣ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଉଗେର ମହାନନ୍ଦଙ୍କ ଝିଅ ପିଙ୍କି ମହାନନ୍ଦ (୬) ଓ ନୃପ ଲୁହାଙ୍କ ଝିଅ ରାକ୍ଷୀ ଲୁହା (୮)। ସୂଚନା ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ଉଭୟ ପିଙ୍କି ଓ ରାକ୍ଷୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଯାଇଥିଲେ। ହସ୍‌ପିଟାଲରେ ପହଂଚିବା ପରେ ପିଙ୍କି ଓ ରାକ୍ଷୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ମିଳିଥିବା ସୂଚନା ଅନୁସାରେ ଗୁରୁବାର ମଧ୍ୟାହ୍ନ ସମୟରେ ପ୍ରଥମ ଶ୍ରେଣୀର ଛାତ୍ରୀ ପିଙ୍କି ଓ ତୃତୀୟ ଶ୍ରେଣୀ ଛାତ୍ରୀ ରାକ୍ଷୀ ଘରୁ ବାହାରି ଯାଇଥିଲେ। ସେମାନେ ଘରୁ ଯିବା ସମୟରେ କାହାରିକୁ କିଛି ଜଣାଇ ନ ଥିଲେ। ପରେ ପରିବାର ଲୋକେ ଏଣେ ତେଣେ ଖୋଜାଖୋଜି କରି ଶିଶୁକନ୍ୟା ଦ୍ୱୟଙ୍କୁ ପାଇ ନ ଥିଲେ। ମାତ୍ର ସନ୍ଦେହ ହେବାରୁ ପରିବାର ଲୋକେ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀମାନେ ୨ ଶିଶୁକନ୍ୟାକୁ ପୋଖରୀରୁ ଉଦ୍ଧାର କରିବା ପରେ ସେମାନଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ହସ୍‌ପିଟାଲରେ ପିଙ୍କି ଓ ରାକ୍ଷୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର