ପୁଣି ଦୁଇ ଛେଳି ଚୋର ଗିରଫ, ଉଦ୍ଧାର ଛେଳି ମାଲିକଙ୍କୁ ହସ୍ତାନ୍ତର

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ପୁଲିସ ଦୁଇଜଣ ଯୁବକଙ୍କୁ ଛେଳି ଚୋରି ଅଭିଯୋଗରେ ଗତ ସପ୍ତାହରେ କୋର୍ଟ ଚାଲାଣ କରିଥିବା ଘଟଣା ମନରୁ ଲିଭି ନଥିବା ବେଳେ ପୁଣି ଦୁଇଜଣ ଚୋର ପୁଲିସ ହାବୁଡରେ ପଡ଼ିଛନ୍ତି। ପୁଲିସ ୨ ‌ଜଣ ଛେଳି ଚୋରଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ୨ ଜଣ ହେଲେ ଆଦି ମାଣ୍ଡିଙ୍ଗା ଓ ନରେନ୍ଦ୍ର ମାଣ୍ଡିଙ୍ଗା। ସେମାନଙ୍କ ଠାରୁ ଉଦ୍ଧାର ହୋଇଥିବା ଛେଳିକୁ ଏହାର ମାଲିକଙ୍କୁ ହସ୍ତାନ୍ତର କରାଯାଇଛି।

ସୂଚନା ଅନୁଯାୟୀ ଶୁକ୍ରବାର ବିଳମ୍ବିତ ରାତିରେ ଉକ୍ତ ଚୋର ଦୁଇଜଣ ଗୋଟିଏ ଛେଳିକୁ ନେଇ ବାଇକ୍‌ରେ ଯିବା ବେଳେ ଲକ୍ଷ୍ମୀପୁର ବଜାରରେ ପୁଲିସ ହାବୁଡରେ ପଡିଥିଲେ। କିନ୍ତୁ ସେମାନେ ଛେଳି କିଣିକି ନେଉଚୁ ବୋଲି କହିବା ପରେ ପୁଲିସ ସେମାନଙ୍କୁ ଛାଡି ଦେଇଥିଲା। ଶନିବାର ଦିନ ଗେଚଲା ଗାଁରୁ ଛେଳି ଚୋରି ହୋଇଥିବା ଜଣେ ଆଦିବାସୀ ପରିବାରର ମୁଖ୍ୟ ଲକ୍ଷ୍ମୀପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ରାତିରେ ଯେଉଁମାନଙ୍କୁ ଛାଡିଥିଲା, ସେମାନେ ପ୍ରକୃତରେ ଛେଳି ଚୋରି କରି ନେଉଥିଲେ ବୋଲି ଜାଣିପାରି ଓଡିଆପେଣ୍ଠ ପଞ୍ଚାୟତ ଅନ୍ତର୍ଗତ ବିରିଗୁଡା ଗ୍ରାମର ଦୁଇଜଣ ଆଦି ମାଣ୍ଡିଙ୍ଗା ଓ ନରେନ୍ଦ୍ର ମାଣ୍ଡିଙ୍ଗାଙ୍କୁ ପଚରା ଉଚୁରା କରିବା ସହ ସେମାନଙ୍କ ଠାରୁ ଛେଳିକୁ ଉଧାତ କରିଥିଲା।

ଥାନା ଅଧିକାରି ଗୌରହରି ସାହୁ କହିଛନ୍ତି, ଗତ ସପ୍ତାହରେ ଛେଳି ଚୋରି ନେଉଥିବା ବେଳେ ଅଟୋ ସହ ଦୁଇଜଣଙ୍କୁ ଗିରଫ କରାଯାଇଥିଲା। ଆଜି ପୁଣି ବାଇକ୍‌ ସହ ଦୁଇଜଣଙ୍କୁ ଗିରଫ କରାଯାଇଛି। ଅନ୍ୟପକ୍ଷରେ ଲକ୍ଷ୍ମୀପୁରର ମାଛ ଓ କୁକୁଡା ବ୍ୟବସାୟୀ ବୁଡୁ ସେଠୀଙ୍କ ୩ଟି ଛେଳି ଚୋରି ହୋଇଥିବା ନେଇ ଅଭିଯୋଗ କରି ଥାନାରେ ପହଚିଂ ଛେଳିକୁ ଦେଖିଥିଲେ। କିନ୍ତୁ ତାଙ୍କର ଛେଳି ନଥିବା ଯୋଗୁଁ ଫେରି ଆସିଥିଲେ। ଦିନକୁ ଦିନ ଅଂଚଳରେ ଛେଳି ଚୋରଙ୍କ ସଂଖ୍ୟା ବଢୁଥିବା ବେଳେ ଛେଳି ମାଲିକଙ୍କ ମଧ୍ୟରେ ଚିନ୍ତାର ବିଷୟ ପାଲଟି ଯାଇଛି।

ସମ୍ବନ୍ଧିତ ଖବର