ଆସ୍କା: ପୁଲିସ ଏନକାଉଣ୍ଟରେ ୨ ସୁପାରୀ କିଲର ଗୁରୁତର

ଆସ୍କା: ଆଜି ସକାଳେ ସୁପାରି କିଲିଂ ପାଇଁ ନିୟୋଜିତ ଦୁଇଜଣ ଦୁଦ୍ଦାନ୍ତ ଅପରାଧୀ ଆସ୍କା ପୁଲିସ ଏନକାଉଣ୍ଟରରେ ଗୁରତର ଭାବେ ଆହତ ହୋଇଛନ୍ତି। ଆହତ ଦୁଇ ଅପରାଧୀଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଠାରୁ ପୁଲିସ ଏକ ପଲ୍ସର ବାଇକ୍‌, ୨ଟି ମୋବାଇଲ, ୨ଟି ୯ ଏମଏମ ମାଉଜର , ୬ ରାଉଣ୍ଡ ଗୁଳି ଜବତ କରିଛି।


ଆସ୍କା ଥାନା ଅଧିକାରୀ ସନ୍ତୋଷ କୁମାର ଜେନାଙ୍କଠାରୁ ପ୍ରକାଶ ଯେ, ଗତ କିଛି ଦିନ ହେବ ଅଞ୍ଚଳରେ ଜଣେ ରାଜନେତା ନିଜ ଉପରେ ହୋଇଥିିବା ହତ୍ୟା ଉଦ୍ୟମ ଓ ତାଙ୍କ ଭାଇଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ଉତ୍ତର ପ୍ରଦେଶର ଜଣେ ସୁପାରି କିଲରଙ୍କୁ ଆଣି ନିଜ ଗ୍ରାମରେ ରଖିଥିବା ସମ୍ପର୍କରେ ସୂପନା ମିଳିଥିଲା। ଆଜି ଉତ୍ତରପ୍ରଦେଶର ବାଲିଆ ଅଞ୍ଚଳର ସେହି ସୁପାରୀ କିଲର ଲକ୍ଷ୍ମଣ ରାଜପୁତ (୨୭ ବର୍ଷ) ଓ ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳର ଟୁନା ଗୌଡ଼(୨୫ ବର୍ଷ) ଓଡ଼ି ୩୨ବି ୭୮୫୬ ନମ୍ବର ବିଶିଷ୍ଟ ଏକ ପଲସର ଗାଡ଼ିରେ ଆସ୍କା ଥାନା ଅନ୍ତର୍ଗତ ନଳବଣ୍ଟା- ମହୁପଦର ରାସ୍ତାରେ ଦୃତଗତିରେ ଯାଉଥିବା ବେଳେ ପାଟ୍ରୋଲିଂ କରୁଥିବା ପୁଲିସ ଗାଡ଼ି ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ମାତ୍ର ଅପରାଧୀମାନେ ପୁଲିସ ଉପରକୁ ୬ ରାଉଣ୍ଡ ଗୁଳି ଚଳାଇବା ସହିତ ବୋମା ମାଡ଼ କରି ଖସି ଯିବାକୁ ଚେଷ୍ଟା କରିଥିଲେ। ତେବେ ପୁଲିସର ପାଲଟା ଗୁଳି ଚାଳନାରେ ଦୁଇଜଣ ଅଭିଯୁକ୍ତ ଆହତ ହୋଇ ତଳେ ପଡ଼ି ଯାଇଥିଲେ। ଉଭୟଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି।ଆହତ ଅଭିଯୁକ୍ତଙ୍କୁ କାବୁ କରି ପୁଲିସ ଡାକ୍ତରଖାନାରେ ଭର୍ତ୍ତି କରିଛି।

ସମ୍ବନ୍ଧିତ ଖବର