ଖୋର୍ଦ୍ଧା: ଆଜି ଖୋର୍ଦ୍ଧାରେ ଲିଡ୍ ବ୍ୟାଙ୍କ ଓ ଜିଲ୍ଳା ପ୍ରଶାସନ ଆନୁକୂଲ୍ୟରେ ଏକ ଋଣ ପ୍ରଦାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ୪୪୦୮ ହିତାଧିକାରୀଙ୍କୁ ପ୍ରାୟ ୨୨୨ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି। ସ୍ଥାନୀୟ ବକ୍ସି ଜଗବନ୍ଧୁ ବିଦ୍ୟାଧର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ସମେତ ୧୬ଟି ରାଷ୍ଟ୍ରାୟତ୍ତ, ଘରୋଇ ବ୍ୟାଙ୍କ ଯୋଗ ଦେଇଥିଲେ। ଲୋକଙ୍କୁ ବ୍ୟାଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ବିଭିନ୍ନ ଋଣ ସହ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦିଆଯାଉଥିବା ଆର୍ଥିକ ସହାୟତା, ପ୍ରଧାନମନ୍ତ୍ରୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ପ୍ରଧାନମନ୍ତ୍ରୀ ସ୍ୱନିଧୀ ଯୋଜନା ଆଦି ସମ୍ପର୍କରେ ଲୋକଙ୍କୁ ସଚେତନ ଓ ସୂଚନା ଦେବା ପାଇଁ ବ୍ୟାଙ୍କ ଗୁଡ଼ିକ ପକ୍ଷରୁ ଷ୍ଟଲ୍ ଖୋଲା ଯାଇଥିଲା।
କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ସନତ କୁମାର ମହାନ୍ତି କହିଛନ୍ତି ଯେ କରୋନା ମହାମାରୀ ସମୟରେ ଅର୍ଥନୈତିକ ମାନ୍ଦାବାସ୍ଥାରେ ବିଶେଷତଃ ଗ୍ରାମାଂଚଳର ଅର୍ଥନୀତିକୁ ଅଧିକ ସକ୍ରିୟ ଓ ସୁଦୃଢ଼ କରିବାକୁ ବ୍ୟାଙ୍କ ଗୁଡ଼ିକ ପକ୍ଷରୁ ବିଭିନ୍ନ ଋଣ ପ୍ରଦାନ କରିବାକୁ ସରକାରଙ୍କ ନିର୍ଦେଶ ରହିଛି। ସରକାରଙ୍କ ବିଭିନ୍ନ ଆର୍ଥିକ ଯୋଜନା ସହ ବିଭିନ୍ନ କିସମର ଋଣ ସମ୍ପର୍କରେ ସଚେତନତା ସୃଷ୍ଟି କରାଇବାକୁ ଏଭଳି ମେଳାର ଆୟୋଜନ କରାଯାଇଛି। ଏହା ମଧ୍ୟରେ ବ୍ୟାଙ୍କ ଗୁଡ଼ିକ ଗ୍ରାମାଂଚଳର ଚାଷୀ, କ୍ଷୁଦ୍ର ଓ ଅଣୁ ଶିଳ୍ପ, ଛୋଟିଆ ବ୍ୟବସାୟୀ, ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନ କରିଛନ୍ତି। ପ୍ରାୟ ୪୦୦ କୋଟି ଟଙ୍କାର ଋଣ ପ୍ରଦାନ କରାଯିବା ଲକ୍ଷ୍ୟ ରହିଛି। ଷ୍ଟେଟ୍ ବ୍ୟାଙ୍କର ଡିଜିଏମ୍ ଆନନ୍ଦ ବିକ୍ରମ ଏନେଇ କହିଛନ୍ତି ଯେ କ୍ଷୁଦ୍ର, ଅଣୁ ଓ ମଧ୍ୟମ ଶିଳ୍ପ, କୃଷି, ଗୃହ ଓ ଯାନବାହନ ଋଣ, ପିଏମ୍ କିସାନ୍, ପିଏମ୍ ସ୍ୱନିଧୀ, ମୁଦ୍ରା, ପିଏମ୍ ଏଫ୍ଏମ୍ଇ, ପିଏମ୍ଇଜିପି ସହ ପିଏମ୍ଜିବିୱାଇ, ପିଏମ୍ଏସ୍ବିୱାଇଏ, ଏପିୱାଇ ଭଳି ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଓ ଏହାକୁ ଅଧିକ ସକ୍ରିୟ କରିବା ଲକ୍ଷ୍ୟରେ ଏହି ମେଳା ଆୟୋଜନ କରାଯାଇଛି।

ଏହି ଅବସରରେ ଷ୍ଟେଟ୍ ବ୍ୟାଙ୍କ ୪୧.୩୦ କୋଟି ଟଙ୍କା ବିଭିନ୍ନ କିସମର ଋଣ ପ୍ରଦାନ କରିଛି। ବର୍ତ୍ତମାନ ସୁଦ୍ଧା, ବିଭିନ୍ନ ବ୍ୟାଙ୍କ ମୋଟ ୨୨୧ କୋଟି ୬୪ଲକ୍ଷ ଟଙ୍କା ଋଣ ଦେଇଛନ୍ତି। ଏହି ଅବସରରେ ଅନୁଷ୍ଠିତ ସଭାରେ ସ୍ୱାଗତ ଭାଷଣ ଏସ୍ବିଆଇର ଡିଜିଏମ୍ ଆନନ୍ଦ ବିକ୍ରମ ଦେଇଥିବା ବେଳେ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ମହାନ୍ତି, ସ୍ଥାନୀୟ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, କାନାରା ବ୍ୟାଙ୍କର ଡିଜିଏମ୍ ଅଜୟ କୁମାର ସିଂହ, ଇଣ୍ଡିଆନ୍ ବ୍ୟାଙ୍କର ଡିଜିଏମ୍ ଆର୍ ଶ୍ରୀନିବାସନ, ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦଳାଇ, ନାବାର୍ଡ ଡିଡିଏମ୍ ନୀଳ ଲୋହିତ ସାହୁ ଯୋଗ ଦେଇଥିଲେ। ଖୋର୍ଦ୍ଧା ଲିଡ୍ ବ୍ୟାଙ୍କ ପରିଚାଳକ ଦିଲୀପ କୁମାର ଭୂୟାଁ ଧନ୍ୟବାଦ ଦେଇଥିଲେ। ସଭାରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ, ଅଣୁ କ୍ଷୁଦ୍ର ଶିଳ୍ପକୁ ଋଣ ଅନୁମତି ପତ୍ର ପ୍ରଦାନ କରାଯାଇଥିଲା।
ସୂଚନାଯୋଗ୍ୟ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ୪୨୯ଜଣ ହିତାଧିକାରୀଙ୍କୁ ୧୭ କୋଟି ୪୯ଳକ୍ଷ ଟଙ୍କା ଋଣ ପ୍ରଦାନ କରିଥିବା ବେଳେ ବ୍ୟାଙ୍କ ଅଫ୍ ବରୋଦା ୧୯୭ ହିତାଧିକାରୀଙ୍କୁ ୧୯ କୋଟି ୪୫ ଲକ୍ଷ ଟଙ୍କା, ବ୍ୟାଙ୍କ ଅଫ୍ ଇଣ୍ଡିଆ ୮୫୬ ଜଣ ହିତାଧିକାରୀଙ୍କୁ ୧୯ କୋଟି ୨୧ ଲକ୍ଷ ଟଙ୍କା, ଏକ୍ସିସ ବ୍ୟାଙ୍କ ୨୨୫ ହିତାଧିକାରୀଙ୍କୁ ୭ କୋଟି ୪୯ ଲକ୍ଷ ଟଙ୍କା, ଏଚ୍ଡ଼ିଏଫ୍ସି ବ୍ୟାଙ୍କ ୧୦୬ ହିତାଧିକାରୀଙ୍କୁ ୨୧ କୋଟି ୬୨ଲକ୍ଷ ଟଙ୍କା, ଆଇଆଇସିଆଇ ବ୍ୟାଙ୍କ ୧୯୭ ହିତାଧିକାରୀଙ୍କୁ ୮ କୋଟି ୧୦ଳକ୍ଷ ଟଙ୍କା, ଆଇଡିବିଆଇ ୩୧ଜଣ ହିତାଧିକାରୀଙ୍କୁ ୯୮.୪୧ ଲକ୍ଷ ଟଙ୍କା ପ୍ରଦାନ କରିଛି ।