କବାଡ଼ିଆ ଦୋକାନରେ ବିସ୍ଫୋରଣ: ୨ ଗୁରୁତର ଆହତ 

ଧାମରା: ଭଦ୍ରକ ଜିଲ୍ଲା ଧାମରା ବଜାରରେ ଆଜି ଅଭାବନୀୟ ଘଟଣା ଘଟିଯାଇଛି। କବାଡ଼ିଆ ‌ଦୋକାନ‌ରେ ଏକ ସଂଦିଗ୍ଧ ଜିନିଷକୁ ଦୁଇଜଣ ଶ୍ରମିକ ତରଳାଉ ଥିବା ବେଳେ ତାହା ବିସ୍ଫୋରଣ ହୋଇଛି। ଫଳରେ ସଂପୃକ୍ତ ଦୁଇଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ଧାମରା ବଜାରରେ ସତ୍ୟେନ କାମିଳିଆଙ୍କ ଏକ ଗହଣା ଦୋକାନ ଅଛି। ଏହି ଦୋକାନ ପାଖରେ ସେ ଅନ୍ୟ ଏକ ଦୋକାନ ଖୋଲି କବାଡ଼ିଆ ବ୍ୟବସାୟ କରନ୍ତି। ଆଜି ଅପରାହ୍ନ ୫ଟା ବ‌େଳେ କିଣା ହୋଇଥିବା ଏକ ସଂଦିଗ୍ଧ ଜିନିଷକୁ ସେଠାରେ ଶ୍ରମିକ ଭାବେ କାମ କରୁଥିବା କଇଥଖୋଲା ଗ୍ରାମର ସେକ କଇମତ (୭୨) ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ଗ୍ରାମର ହରିହର କାମିଳିଆ (୩୫) ତରଳାଉ ଥିଲେ। ଏହି ସମୟରେ ଉକ୍ତ ଜିନିଷଟି ହଠାତ୍‌ ବିସ୍ଫୋରଣ ହୋଇଥିଲା। ଫଳରେ ହରିହର ଓ କଇମତ ଗୁରୁତର ଆହତ ହୋଇଥିଲେ। ସେହିପରି ନିକଟରେ ଥିବା ଆଉ କିଛି ଦୋକାନୀ ମଧ୍ୟ ସାମାନ୍ୟ ଆହତ ହୋଇଥିଲେ। ହରିହରଙ୍କ ଡାହାଣ ଗୋଡ଼ ସଂପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଯାଇଥିବା ବେଳେ ସେକ୍‌ କଇମତଙ୍କ ଶରୀର ସଂପୂର୍ଣ୍ଣ ପୋଡ଼ିଯାଇଛି। ସଂଗେ ସଂଗେ ସ୍ଥାନୀୟ ଦୋକନୀମାନେ ହରିହର ଓ କଇମତଙ୍କୁ ଉଦ୍ଧାର କରି ପ୍ରଥମେ ଧାମରା ଡାକ୍ତରଖାନା ନେଇଥିଲେ। ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ବାସୁଦେବପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଅନ୍ୟପଟେ ଘଟଣା ବାବଦରେ ଖବର ପାଇବା ପରେ ଧାମରା ଥାନାଧିକାରୀ ଶ୍ରୀକାନ୍ତ ପତି ବଜାରରେ ପହଞ୍ଚି ସତ୍ୟେନ କାମିଳିଆଙ୍କ ଦୋକାନ ଏବଂ ଘର ଓ ଗୋଦାମ ଘର ଯାଞ୍ଚ କରିଛନ୍ତି। ଏହା ସହିତ ସତ୍ୟେନଙ୍କ ଦୋକାନ ସିଲ୍‌ ହୋଇଛି। ଆସନ୍ତାକାଲି ସାଇନ୍‌ଟିଫିକ୍‌ ଟିମ୍‌ ଆସି ତଦନ୍ତ କରିବା ସହ ଘଟଣାର କାରଣ ଖୋଜିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର