ଦୁଇଗୋ‌ଷ୍ଠୀ ସଂଘର୍ଷରେ ୨ ଆହତ

ଧଉଳି: ଖୋର୍ଦ୍ଧା ଜିଲ୍ଲା କୌଶଲ୍ୟାଗଙ୍ଗ ଫାଣ୍ଡି ଅଧୀନ ଉତ୍ତରା ରାମମନ୍ଦିର ନିକଟରେ ଗତକାଲି ମଧ୍ୟ ରାତ୍ରିରେ ଦୁଇଗୋଷ୍ଠୀ ମଧ୍ୟରେ ଭୀଷଣ ଗଣ୍ଡଗୋଳ ହୋଇଛି। ଏହି ଗଣ୍ଡଗୋଳରେ ଏକ ଘରୋଇ ସଂସ୍ଥାର ଦୁଇଜଣ କର୍ମଚାରୀ ଆହତ ହୋଇଛନ୍ତି। କାର୍ଯ୍ୟାଳୟର ଅନ୍ୟ କର୍ମଚାରୀ ମାନେ ଆହତ ସହକର୍ମୀଙ୍କୁ ତୁରନ୍ତ ଚିକିତ୍ସା ଲାଗି ହସ୍ପିଟାଲ ନେଇଥିଲେ। ଏନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ସୂଚନା ଅନୁସାରେ ଗତକାଲି ରାତି ୧୨ଟା ସମୟରେ ଉକ୍ତ ସଂସ୍ଥାର ୪ଜଣ କର୍ମଚାରୀ ସମ୍ବଲପୁରରୁ ଫେରୁଥିଲେ। ସେମାନଙ୍କୁ କାରରେ ଥିବା ଜଣେ ଯୁବକ ପିଛା କରିଥିଲେ। ଉତ୍ତରା ରାମମନ୍ଦିର ନିକଟରେ ପଂହଞ୍ଚିବା କ୍ଷଣି ସମ୍ପୃକ୍ତ ଯୁବକ ମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ସଂସ୍ଥାର କର୍ମଚାରୀଙ୍କ ସହ ଏନେଇ ତାଙ୍କର ଭୀଷଣ ପାଟିତୁଣ୍ଡ ହୋଇଥିଲା।

ଏହାପରେ ସେ ଅନ୍ୟ ସହଯୋଗୀଙ୍କୁ ଫୋନକରି ଡକାଇଥିଲେ। ସହଯୋଗୀ ଯୁବକ ପହଞ୍ଚିବା ପରେ ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲେ। ଉଭୟ ପକ୍ଷର ଯୁବକମାନେ ମାରପିଟ ହୋଇଥିଲେ। ଆଜି ସଂଧ୍ୟାରେ ଏସଂପର୍କରେ ସଂସ୍ଥାର କର୍ମଚାରୀ କୌଶଲ୍ୟାଗଙ୍ଗ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ହେଲେ ଅଭିଯୋଗର ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତଙ୍କୁ ଥାନାକୁ ଡକାଇ ପଚରାଉଚରା କରିନଥିବା ସଂସ୍ଥା ପକ୍ଷରୁ ଅଭିଯୋଗ ହୋଇଛି। ତେବ‌େ ଗଣ୍ଡଗୋଳର କାରଣ ଏଯାଏ ଜଣାପଡ଼ିନଥିବା ବେଳେ ନିଶାଗ୍ରସ୍ତ ଅବସ୍ଥାରେ କାରରେ ଥିବା ଯୁବକ ଗଣ୍ଡଗୋଳ କରିଥିବା କୁହାଯାଉଛି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର