ରାଉରକେଲାରେ ଲୁଚିଥିବା ଦିଲ୍ଲୀ ଫେରନ୍ତା‌ ଦୁଇ ଶ୍ରମିକଙ୍କୁ ଝାଡ଼ଖଣ୍ଡ ଘରକୁ ପଠାଗଲା

କରୋନା ଭୟରେ ଲୋକେ ଗାଁରେ ପୂରାଇ ଦେଇ ନଥିଲେ, ୫ଦିନ ଧରି ବସ୍‌ଷ୍ଟାଣ୍ଡ ଓ ଷ୍ଟେସନରେ ଆଶ୍ରା ନେଇଥିଲେ

ରାଉରକେଲା: କରୋନା ଆରମ୍ଭ ହେବାପରେ ଲୋକଙ୍କ ଭିତରେ ଅବିଶ୍ବାସର ବାତାବରଣ ଗାଢ଼ ହେବାରେ ଲାଗିଛି। ଅବଶ୍ୟ ଏ ଅବିଶ୍ବାସ ଏବେ ଅତ୍ୟାବଶ୍ୟକ! କରୋନା ଭୟରେ ଲୋକେ ସେମାନଙ୍କୁ ଗାଁରେ ପଶିବାକୁ ଦେଇ ନଥିଲେ। ତେଣୁ ଦିଲ୍ଲୀରୁ ଫେରିଥିବା ଝାଡ଼ଖଣ୍ଡର ଦୁଇଜଣ ଶ୍ରମିକ ରାଉରକେଲାରେ ଲୁଚିଥିଲେ। ଆଜି ସ୍ଥାନୀୟ ଲୋକେ ଦୁହିଁଙ୍କୁ ଉଦ୍ଧାର କରି ଝାଡ଼ଖଣ୍ଡରୁ ଆସିଥିବା ଜଣେ ସଂପର୍କୀୟଙ୍କ ସହିତ ଘରକୁ ପଠାଇ ଦେଇଛନ୍ତି।

ରାଉରକେଲାରୁ ପ୍ରାୟ ୧୦୦ କି.ମି. ଦୂର ଝାଡ଼ଖଣ୍ଡସ୍ଥିତ ପୋକ୍‌ଲା ଗାଁର ଦୁଇଜଣ ଶ୍ରମିକ ଦିଲ୍ଲୀର ଏକ ନିର୍ମାଣକାରୀ ସଂସ୍ଥାରେ କାମ କରୁଥିଲେ। କରୋନା ସଂକ୍ରମଣ ମୁକାବିଲା ପାଇଁ ଲକ୍‌ଡାଉନ୍‌ ଘୋଷଣା ହେବାପରେ ଦୁହେଁ ଟ୍ରେନ୍‌ ଯୋଗେ ଗାଁକୁ ଫେରି ଆସିଥିଲେ। ୨୩ ତାରିଖ ଅପରାହ୍‌ଣରେ ଟ୍ରେନ୍‌ରୁ ଓହ୍ଲାଇ ସେମାନେ ଗାଁରେ ପହଞ୍ଚିଥିଲେ। କିନ୍ତୁ ଗ୍ରାମବାସୀ ଦୁହିଁଙ୍କୁ ଗାଁ ଭିତରେ ପଶିବାକୁ ଦେଇ ନଥିଲେ। ୧୪ ଦିନ ପରେ ଆସିବାକୁ କହି ଦୁହିଁଙ୍କୁ ଗାଁମୁଣ୍ଡରୁ ହିଁ ତଡି ଦେଇଥିଲେ। ସେହିଦିନ ବିଳମ୍ବିତ ରାତିରେ ଦୁହେଁ ରାଉରକେଲା ସିଭିଲଟାଉନସିପ୍‌ର ଏକ ବସ୍ତିରେ ରହୁଥିବା ସମ୍ପର୍କୀୟଙ୍କ ଘରେ ପହଞ୍ଚିଥିଲେ।

ସମ୍ପର୍କୀୟ ଜଣକ ମଧ୍ୟ କରୋନା ଭୟରେ ଦୁହିଁଙ୍କୁ ଘର ଭିତରେ ପଶିବାକୁ ଦେଇ ନଥିଲେ। କେବଳ ଗଣ୍ଡ‌େ ଖାଇବାକୁ ଦେଇ ବିଦା କରି ଦେଇଥିଲେ। ଦୁହେଁ ସେଠାରୁ ଚାଲି ଚାଲି ଯାଇଥିଲେ ରାଉରକେଲା ନୂଆ ବସ୍‌ଷ୍ଟାଣ୍ଡକୁ। ତା’ପରେ ୩ ଦିନଧରି ସ୍ବେଚ୍ଛାସେବୀ ସଙ୍ଗଠନଗୁଡ଼ିକ ପକ୍ଷରୁ ବଣ୍ଟନ କରା ଯାଉଥିବା ଖାଦ୍ୟ ଖାଇ ବସ୍‌ଷ୍ଟାଣ୍ଡରେ ରାତି କଟାଇଥିଲେ। ସେଠାରେ କେହି ଜଣେ ଦୁହିଁଙ୍କୁ ଷ୍ଟେସନରେ ଖାଇବାକୁ ମିଳୁଛି ବୋଲି ଖବର ଦେଇଥିଲେ। ତେଣୁ ଦୁହେଁ ବସ୍‌ଷ୍ଟାଣ୍ଡ ଛାଡି ରାଉରକେଲା ରେଳ‌ଷ୍ଟେସନକୁ ଚାଲି ଆସିଥିଲେ। ତା’ପରେ ଆଜି ଭୋର୍‌ ପ୍ରାୟ ୪ଟାରେ ଦୁହେଁ ସେକ୍ଟର-୧୩ ଲୁଆକେରା ବସ୍ତିରେ ରହୁଥିବା ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘରେ ପହଞ୍ଚି ଲୁଚିଥିଲେ। ତେବେ ଏ ସଂକ୍ରାନ୍ତରେ ପଡ଼ୋଶୀ ବସ୍ତିବାସିନ୍ଦା ଜାଣି ପାରିଥିଲେ। ସେମାନେ ଆଶ୍ରା ଦେଇଥିବା ଉକ୍ତ ବ୍ୟକ୍ତିଙ୍କ ଘରେ ପହଞ୍ଚି ପାଟିତୁଣ୍ଡ କରିଥିଲେ। ଲୋକେ ଅଭିଯୋଗ କରିଛନ୍ତି ଯେ ଏ ସଂପର୍କରେ ସେମାନେ ଛେଣ୍ଡ ପୁଲିସ୍‌, ଆର୍‌ଜିଏଚ୍‌ କର୍ତ୍ତୃପକ୍ଷ ଓ ଏସ୍‌ଡିଏମ୍‌ଓ ଡାକ୍ତର ପୁଷ୍ପାମିତ୍ର ମିଶ୍ରଙ୍କୁ ଜଣାଇଥିଲେ। କିନ୍ତୁ କେହି କିଛି ପଦକ୍ଷେପ ନେଇ ନଥିଲେ। ତେଣୁ ବସ୍ତି ବାସିନ୍ଦା ଲୁଚି ରହିଥିବା ଦୁଇ ଶ୍ରମିକଙ୍କୁ ଯେମିତିହେଲେ ଘରୁ ବାହାର କରିଦେବାକୁ ଅଡ଼ି ବସିଥିଲେ।

ଉତ୍ତେଜନା ବଢ଼ୁଥିଲା। ଶେଷରେ ବସ୍ତିବାସିନ୍ଦାଙ୍କ ଭୟରେ ସମ୍ପର୍କୀୟ ଜଣକ ଦୁଇ ଶ୍ରମିକଙ୍କ ପରିବାରକୁ ଖବର ଦେଇଥିଲେ। ତା’ପରେ ଆଜି ଦିନ ପ୍ରାୟ ୨ଟାରେ ଜଣେ ବ୍ୟକ୍ତି ମୋଟରବାଇକ୍‌ରେ ରାଉରକେଲାରେ ପହଞ୍ଚି ଦୁଇ ଯୁବକଙ୍କୁ ଝାଡ଼ଖଣ୍ଡ ନେଇ ଯାଇଥିଲେ। ସୂଚନାଯୋଗ୍ୟ, ଗତ ୨୫ରେ ନୂଆଗାଁ ବ୍ଲକ ଲାଙ୍କୋଇର ଜଣେ ୧୯ ବର୍ଷର ଯୁବକ କରୋନା ଭୟରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌)ରେ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧିତ ଖବର