ଉମରକୋଟ: ନବରଂଗପୁର ଜିଲ୍ଲା ଉମରକୋଟ ପୌରପାଳିକା ଅନ୍ତର୍ଗତ ପୁରୁଣା ବସଷ୍ଟାଣ୍ଡ ପାଖରେ ହୋଇଛି ଏକ ଚୋରି। ଉମରକୋଟର ଏକ ତେଜରାତି ହୋଲସେଲ ବ୍ୟବସାୟୀ ପ୍ରତାପ ନାୟକଙ୍କ ଗୋଦାମରୁ ବୁଧବାର ରାତିରେ ପିଆଜ ଅଦା, ରସୁଣ ଓ ହଳଦୀ ଚୋରି ହୋଇଛି। ଥାନାରେ ଅଭିଯୋଗ ହେବା ପରେ ପୁଲିସ ସଂଦେହରେ ୨ ଜଣଙ୍କୁ ଅଟକ ରଖି ପଚାରାଉଚରା କରୁଛି। ପୁଲିସ କିଛି ଚୋରି ଜନିଷ ପତ୍ର ଉଦ୍ଧାର କରିଥିବା ବେଳେ ୨ ଜଣ ଅଭିଯୁକ୍ତ ଫେରାର ଅଛନ୍ତି।
ସୂଚନା ମୁତାବକ ପ୍ରତାପ ପ୍ରତିଦିନ ପରି ଗୋଦାମ ଗୃହରେ ୨ ତାରିଖ ଦିନ ସଂଧ୍ୟାରେ ତାଲା ପକାଇ ଘରକୁ ଯାଇଥିଲେ ଏବଂ ସେହିଦିନ ରାତିରେ ହିଁ କେତେଜଣ ଦୁର୍ବୃତ୍ତ ଗୋଦାମଗୃହର ତାଲା ଭାଙ୍ଗି ଟ୍ରକ ଯୋଗେ ଗୋଦାମ ଗୃହରୁ ଅଧା ଜିନିଷପତ୍ର ଉଠାଇ ନେଇଯାଇଛନ୍ତି।
ତେବେ ଚୋରି ହୋଇଥିବା ଘଟଣା ଆଜି ସକାଳେ ସ୍ଥାନୀୟ ଲୋକେ ପ୍ରତାପଙ୍କୁ ଜଣାଇଥିଲେ। ପ୍ରତାପ ଆସି ଦେଖିଲାବେଳେ ଜିନିଷ ମଧ୍ୟରୁ ୫୦ ରୁ ୬୦ ପ୍ୟାକେଟ ରସୁଣ, ୨ ପ୍ୟାକେଟ ହଳଦୀ, ୫ ପ୍ୟାକେଟ ଅଦା ଓ କିଛି ପ୍ୟାକେଟ ପିଆଜ ଚୋରି ହୋଇଛି। ଚୋରି ହୋଇଥିବା ଜିନିଷର ମୂଲ୍ୟ ପାଖପାଖି ଦୁଇ ଲକ୍ଷରୁ ଅଢେଇ ଲକ୍ଷ ମଧ୍ୟରେ ଥିବାର ଅନୁମାନ କରାଯାଉଛି।
ତେବେ ଜନଗହଳିପୂର୍ଣ୍ଣ ଉମରକୋଟ ସହରର ମୁଖ୍ୟ ବସଷ୍ଟାଣ୍ଡ ନିକଟରୁ ଟ୍ରକ ଯୋଗେ ଚୋରି ହେଇଥିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ଖବର ଲେଖା ହେବ ବେଳକୁ ମାଲିକ ପ୍ରତାପ ନାୟକ ଥାନାରେ ଅଭିଯୋଗ କରିନାହାନ୍ତି। ପୁଲିସର ରାତ୍ରିକାଳୀନ ପେଟ୍ରୋଲିଂ ବ୍ୟବସ୍ଥା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/68ed4910-7766-47ca-89b4-ff593840f590.jpg)