ଦୁଇ ଲୁଟେରାଙ୍କୁ କାବୁ କଲେ ଗ୍ରାମବାସୀ, କାଳିଆ ଯୋଜନାରେ ଠକେଇ

ପଣ୍ତାପଡା: କେନ୍ଦୁଝର ଜିଲ୍ଲା ପଣ୍ତାପଡା ଥାନା ଅଧୀନସ୍ଥ ଆଡକଟା ଗ୍ରାମରେ କୌଶଳକ୍ରମେ ଏକାଧିକ ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାରୁ ଟଙ୍କା ହରିଲୁଟ କରୁଥିବା ୨ଜଣ ଲୁଟେରାଙ୍କୁ ଗ୍ରାମବାସୀ କାବୁ କରି ମଙ୍ଗଲବାର ଥାନାରେ ଜିମା ଦେଇଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ସମୟ ଧରି ଉତ୍ତେଜନା ଲାଗି ରହିଥିଲା।

ଚଳିତ ମାସ ୧୮ତାରିଖଠାରୁ ଏହି କଳା କାରନାମାରେ ସଂପୃକ୍ତ ବ୍ୟକ୍ତିମାନେ ଆଡକଟା ଗ୍ରାମର ଅନେକ ବ୍ୟାଙ୍କ ଖାତାଧିକାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ସଂପୃକ୍ତ ବ୍ୟକ୍ତିମାନେ ଏକ ହୁଣ୍ତା ମୋଟର ସାଇକେଲ (ଓଡି୦୧ଜେ୨୮୮୦) ବାଇକରେ ଆସି ଆଦିବାସୀ ଜୁଆଙ୍ଗ ଲୋକଙ୍କୁ ସରକାରଙ୍କ କାଳିଆ ଯୋଜନା ତୃତୀୟ କିସ୍ତିର ଅର୍ଥପାଇବା ପାଇଁ ନାମ ରିନ୍ୟୁଆଲ କରିଦେବେ ବୋଲି କହିଥିଲେ। ଆଧାର କାର୍ଡ ନମ୍ବର ଓ ଫିଙ୍ଗର ପ୍ରିଂଣ୍ଟ ଦ୍ବାରା ଅନଲାଇନରେ ଏହା ହେବ କହି ଚତୁରତାର ସହ ଟଙ୍କା ଲୁଟି ଚାଲିଥିଲେ। ସୋମବାର ଏନେଇ କେତେକଙ୍କ ସନ୍ଦେହ ଉପୁଜିଥିଲା। ସେମାନେ ବ୍ୟାଙ୍କ ଖାତାକୁ ଅପଡେଟ କରିଥିଲେ। ଫଳରେ ଠକାମିର ଶିକାର ହୋଇଥିବା ଜାଣିଥିଲେ।

ତେବେ ପୁଣି ଲୁଟେରା ଦ୍ବୟ ମଙ୍ଗଳବାର ପହଂଚିଥିବାବେଳେ ଗ୍ରାମବାସୀ ତାଙ୍କୁ ଅଟକ ରଖିଥିଲେ। ପଣ୍ତାପଡା ପୁଲିସକୁ ଉଭୟକୁ ହସ୍ତାନ୍ତର କରିଥିଲେ। ଏହି ଠକେଇରେ ଆଡକଟାର ସନ୍ତୋଷ ଜୁଆଙ୍ଗଙ୍କ ୫ହଜାର, ସାବି ଜୁଆଙ୍ଗଙ୍କ ୪ହଜାର, ମଙ୍ଗୁଳୁ ଜୁଆଙ୍ଗଙ୍କ ୧୯ହଜାର, ଝିଲି ଜୁଆଙ୍ଗଙ୍କ ୧୯ହଜାର, ଗାଉଁରି ଜୁଆଙ୍ଗଙ୍କ ୩ହଜାର୬ଶହ, ଫୁଲମଣି ଜୁଆଙ୍ଗଙ୍କ ୧ହଜାର, ଚିତ୍ରସେନ ମହାନ୍ତଙ୍କ ୨ହଜାର ୬ଶହ, ଗୀତାଞ୍ଜଳି ନାଏକଙ୍କ ୩ହଜାର ଟଙ୍କା ସଂଚୟ ବ୍ୟାଙ୍କ ଜମାଖାତାରୁ ହଡପ ହୋଇଥିବା ଅଭିଯୋଗ ହୋଇଛି। ଏହା ବ୍ୟତୀତ ଅନ୍ୟ ଅନେକ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ଗାଏବ ହୋଇଥିବା ସନ୍ଦେହ କରାଯାଇଛି।

ସଂପୃକ୍ତ ଦୁଇବ୍ୟକ୍ତିଙ୍କ ସଠିକ ପରିଚୟ ଖବର ଲେଖାଯିବା ପର୍ଯ୍ୟନ୍ତ ମିଳିପାରିନାହିଁ। ତେଣୁ ଅଭିଯୋଗକାରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୁଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଠକାମିରେ ପଡିଥିବା ଲୋକେ ଥାନା ପରିସରରେ ସନ୍ଧ୍ୟା ୭ଟା ଯାଏଁ ଅପେକ୍ଷାରେ ରହିଛନ୍ତି। ଘଟଣା ସମ୍ପର୍କରେ ଥାନାର ଏଏସଆଇ ଦୁଃଶାସନ ସାହୁଙ୍କୁ ପଚାରିବାରୁ ସେ କହିଥିଲେ ଯେ ବ୍ୟକ୍ତି ଦୁଇଜଣ ଆନନ୍ଦପୁର ଅଂଚଳର। ତାଙ୍କ ଘର ଲୋକଙ୍କୁ ଡକାଯାଇଥିଲା, ସେମାନେ ଥାନାରେ ପହଞ୍ଚିଛନ୍ତି। ମାତ୍ର ସେମାନଙ୍କ ପରିଚୟ ଗଣମାଧ୍ୟମକୁ ଦେଇ ନାହାନ୍ତି।

ସମ୍ବନ୍ଧିତ ଖବର