୧୦ ହଜାର ଟଙ୍କା ଛଡ଼ାଇ ନେଇଥିଲେ; ଦୁଇ ଲୁଟେରା ଗିରଫ

କଟକ: ଦୁଇ ଲୁଟେରାଙ୍କୁ ମଧୁପାଟଣା ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ଦୁଇ ଜଣ ହେଲେ ଶିଖରପୁରରେ ରହୁଥିବା ଗଞ୍ଜାମ ଖଲ୍ଲିକୋଟର ଶୁଭ ଜାଲି(୧୯) ଓ କାଜିଢ଼ିଅରେ ରହୁଥିବା ଜଗତସିଂହପୁର ଜିଲ୍ଲା ବାଲିକୁଦାର ପିଣ୍ଟୁ ଓରଫ ଚନ୍ଦ୍ରଶେଖର ସାହୁ(୨୦)।

ସୂଚନା ଅନୁଯାୟୀ, କଲ୍ୟାଣୀନଗର ଦୁଲାଦେବୀ ରୋଡରେ ବିଧୁଭୂଷଣ ସାସମଲ ପରିବାର ସହିତ ରୁହନ୍ତି। ଗଲା ୨ ତାରିଖ ଅପରାହ୍ନରେ ଶ୍ରୀ ସାସମଲଙ୍କ ପୁଅ ସାରିଧ୍ୟ କୌଣସି କାମରେ ନିଜ ଡିଏସଏଲଆର କ୍ୟାମେରା ଧରି ବାହାରକୁ ଯାଇଥିଲେ। ଚାଲି ଚାଲି ଯାଉଥିବା ବେଳେ ତିନି ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଅଟକାଇ ମାରଣାସ୍ତ୍ର ଦେଖାଇଥିଲେ। ସାରିଧ୍ୟଙ୍କ ନିକଟରୁ ଦାମୀ କ୍ୟାମେରା, ସୁନା ଲକେଟ ଓ ମନିପର୍ସରେ ଥିବା ୧୦ ହଜାର ଟଙ୍କା ଛଡ଼ାଇ ନେଇଥିଲେ। ଥାନାରେ ଏ ସଂକ୍ରାନ୍ତରେ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତ ଶୁଭ ଓ ପିଣ୍ଟୁକୁ ରାଜେନ୍ଦ୍ରନଗର ଅଞ୍ଚଳରୁ କାବୁ କରିଥିଲା। ଶୁଭ ନିକଟରୁ ଏକ ନମ୍ବର ବିହୀନ ବାଇକ, ୩ଟି ମୋବାଇଲ ଫୋନ୍ ଏବଂ ପିଣ୍ଟୁ ନିକଟରୁ ଏକ ସ୍କୁଟି ଜବତ କରିଥିଲା। ଅଭିଯୁକ୍ତ ଶୁଭର ବୟାନ ଆଧାରରେ ପୁଲିସ ଲୁଟ୍ ହୋଇଥିବା କ୍ୟାମେରା, ସୁନା ଲକେଟ ସହିତ ଆଉ ଏକ ଚୋରା ବାଇକ ଜବତ କରିଛି। ଅଭିଯୁକ୍ତ ଶୁଭ ଓ ପିଣ୍ଟୁ ବିରୋଧରେ ମଧୁପାଟଣା ଓ ଜଗତପୁର ଥାନାରେ ୪ଟି ଅପରାଧୀକ ମାମଲା ରହିଛି। ଏହି ମାମଲାରେ ଫେରାର ଅନ୍ୟ ସହଯୋଗୀଙ୍କୁ ପୁଲିସ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର