ଲମତାପୁଟ: ସାଙ୍ଗ ହୋଇ ପୋଖରୀରେ ଗାଧୋଉଥିବା ବେଳେ ଅଘଟଣ ଘଟିଛି। କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ମାଛକୁଣ୍ଡ ଥାନା କଞ୍ଚଣା ଗାଁରେ ଥିବା ଏକ ପୋଖରୀରେ ଆଜି ଅପରାହ୍ଣ ସମୟରେ ଗାଧୋଉଥିବା ବେଳେ ୨ ଜଣ ନାବାଳକଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ। ମୃତକମାନେ ହେଲେ ପତିନ୍ଦ୍ର କ୍ରିସାନୀ (୮) ଓ ଅମିର କ୍ରିସାନୀ୯)।
ସୂଚନା ଅନୁସାରେ ଲମତାପୁଟ ବ୍ଲକ ତୁସୁବା ପଂଚାୟତର କଞ୍ଚଣା ଗ୍ରାମର ପୋଖରୀକୁ ଆଜି ଅପରାହ୍ଣ ସମୟରେ ଲବ କ୍ରିସାନୀର ପୁଅ ପତିନ୍ଦ୍ର ଓ ଅର୍ଜୁନ କ୍ରିସାନୀର ପୁଅ ଅମିର ଆଜି ଅପରାହ୍ଣ ପ୍ରାୟ ୨ଟା ବେଳେ ଗାଧୋଇବାକୁ ଯାଇଥିଲେ। ପୋଖରୀ ଗଭୀର ଥିବାରୁ ଏଥିରେ ଖସିପଡ଼ିଥିଲେ। କିଛି ସମୟ ପରେ ସେମାନେ ପାଣିରେ ବୁଡ଼ିଯାଇଥିଲେ।
ତେବେ ପତିନ୍ଦ୍ର ଓ ଅମିର ପୋଖରୀକୁ ଯାଉଥିବା ବେଳେ ଗାଁର ଜଣେ ବାଳକ ଦୂରରୁ ଦେଖିଥିଲା। ଦୀର୍ଘ ସମୟ ଧରି ପତିନ୍ଦ୍ର ଓ ଅମିର ପୋଖରୀରୁ ବାହରକୁ ନ ଆସିବାରୁ ତା’ ମନରେ ସନ୍ଦେହ ଜାତ ହୋଇଥିଲା। ସେ ପୋଖରୀକୁ ଆସି ଦେଖିଲା ବେଳକୁ ପତିନ୍ଦ୍ର ଅମିରଙ୍କୁ ପାଇ ନଥିଲା। ଶେଷରେ ସେ ଗାଁ ଲୋକଙ୍କୁ ଘଟଣା ସଂପର୍କରେ ସୂଚନା ଦେଇଥିଲା। ପରେ ଗାଁ ଲୋକ ଘଟଣାସ୍ଥଳରେ ପହଞ୍ଚି ୨ ନାବାଳକଙ୍କର ମୃତଦେହ ଉଦ୍ଧାର କରିଛନ୍ତି। ଗାଁ ଲୋକେ ସ୍ଥାନୀୟ ପୁଲିସକୁ ସୂଚନା ଦେଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାହିଁ। ଅନ୍ୟପଟରେ କଞ୍ଚଣା ଗ୍ରାମ କାନ୍ଦବୋବାଳିରେ ଫାଟି ପଡୁଛି।