ଅଘଟଣର ଦିନ: ରାଇରଙ୍ଗପୁରରେ ଦୁର୍ଘଟଣା, ଆଖି ବୁଜିଲେ ଦୁଇ ନାବାଳିକା 

ରାଇରଙ୍ଗପୁର: ଆଜି ସକାଳ ଥିଲା ମୟୂରଭଂଜ ଜିଲ୍ଲା ବାମନଘାଟି ଉପଖଣ୍ଡ ପାଇଁ ଅଶୁଭ | ଅଘଟଣରେ ପ୍ରାଣ ହରାଇଲେ ୧୨ ବର୍ଷର ଦୁଇ ଜଣ ନାବାଳିକା | ସକାଳେ ଘଡଘଡି ସହ ବର୍ଷା ହେବାରୁ ଜାମଦା ଥାନା ତେଣ୍ଡରା ଗ୍ରାମର ସ୍ବର୍ଗତ ଗୁଲିଆ ସିର୍କାଙ୍କ ଝିଅ ଶିବାନୀ ଗାଁ ପାଖ ବିଲକୁ ଯାଇଥିବା ବେଳେ ବଜ୍ରପାତ ହୋଇଥିଲା | ଗୁରୁତର ଅବସ୍ଥାରେ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣା ଯାଇଥିବା ବେଳେ ମୃତ୍ୟୁ ଘୋଷଣା କରାଯାଇଥିଲା |

ଅଘଟଣ ଖବର ପାଇ ରାଜ୍ୟସଭା ସାଂସଦ ମମତା ମହାନ୍ତ, ବିଜେଡି ସଦର ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ, ରତିକାନ୍ତ ପରୀକ୍ଷା ପ୍ରମୁଖ ପହଂଚି ମୃତ ନାବାଳିକାର ପରିବାରକୁ ସମବେଦନା ଜଣାଇଥିଲେ | ନାବାଳିକାଙ୍କ ଶବ ବ୍ୟବଛେଦ କରାଯାଇଛି | ସେହିପରି ରାଇରଙ୍ଗପୁର ଟାଉନ ଥାନା ଅଂଚଳରେ ଅନ୍ୟ ଜଣେ ନାବାଳିକା ପାଣିରେ ବୁଡି ମୃତ୍ୟୁ ଘଟିଛି |

ରାଇରଙ୍ଗପୁର ସହର ଇଚିଣ୍ଡାର ବଜରଙ୍ଗୀ ବେହେରାଙ୍କ ୧୨ ବର୍ଷର ଝିଅ ବେବି ବେହେରା ତାଙ୍କ ମାମୁଁ ଘର ତିଳପୋଷିକୁ ଯାଇଥିଲେ | ଆଜି ସକାଳେ ସେଠାରେ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ଯାଇଥିଲେ | ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲକୁ ଅଣାଯାଇଥିବା ବେଳେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ | ଆଜି ସକାଳେ ଦୁଇ ଗୋଟି ଅଘଟଣରେ ଦୁଇ ଜଣ ନାବାଳିକାଙ୍କ ମୃତ୍ୟୁ ଘଟଣାରେ ହସ୍ପିଟାଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା |

ସମ୍ବନ୍ଧିତ ଖବର