ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ‌କଲେ ୨ ନାବାଳକ-ନାବାଳିକା, ଗଣିଲେ ୫୨ ହଜାର ଟଙ୍କାର ଜରିମାନା

ପାରାଦୀପ: ଟ୍ରାଫିକ ନିୟମ ଉଲ୍ଲଂଘନ କରିବା ୨ ଜଣ ନାବାଳକ ଓ ନାବାଳିକାଙ୍କୁ ମହଙ୍ଗା ପଡ଼ିଛି। ଜଗତସିଂହପୁର ଆରଟିଓ ସ୍କ୍ବାର୍ଡ ଉଭୟଙ୍କୁ ୨୬ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ଆଦେଶ ଦେଇଛି। ପରିବହନ ବିଭାଗ ଉଭୟଙ୍କୁ ନାବାଳକ ହୋଇଥିବାରୁ ୨୫ ହଜାର ଟଙ୍କା ଲେଖାଏଁ ଓ ହେଲମେଟ ନଥିବାରୁ ୧୦୦୦ ଟଙ୍କା ଲେଖାଏଁ ଜରିମାନା ଦେବାକୁ ଆଦେଶ ଦେଇଛି। ଆରଟିଓ ଟିମ୍‌ର କାଗଜପତ୍ର ଯାଂଚ ସମୟରେ ନାବାଳକ-ନାବାଳିକା ବୈଧ୍ୟ କାଗଜପତ୍ର ଦେଖାଇପାରି ନ ଥିଲେ। ଉଭୟଙ୍କର ବୟସ ୧୫/୧୬ ବର୍ଷ ହୋଇଥିବା ସୂଚନା।

ପରିବହନ ବିଭାଗକୁ ମିଳିଥିବା ସୂଚନା ଅନୁସାରେ  ଓଡି୨୧ଏଲ୍‌-୮୬୫୨ ବାଇକର ମାଲିକ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ପାରାଦୀପ ରେଳବାଇ କଲୋନି ଅନ୍ତର୍ଗତ ଅଠରବାଙ୍କୀ ନିବାସୀ ସୁଜିତ ମଣ୍ଡଲ। ତାଙ୍କ ନାବାଳକ ପୁଅ ଜୟଦେବ ବାଇକ୍ ଚଳାଉଥିବା ସମୟରେ ଆରଟିଓ କର୍ମଚାରୀଙ୍କ ହାତରେ ଧରାପଡ଼ିଥିଲେ। ସେହିପରି ଜଗତସିଂହପୁର ଜିଲ୍ଲା ଅଠରବାଙ୍କୀ ଅନ୍ତର୍ଗତ ବାଲିଝରା ଗାଁର ମହାବୀର କଲୋନିର ପ୍ଲଟ ନମ୍ବର ୮ ନିବାସୀ ସର୍ମାନନ୍ଦ ଗୁପ୍ତାଙ୍କ ‌ ଓଡି୨୧ଏଚ୍‌-୨୦୫୮ ନମ୍ବର ବାଇକକୁ ତାଙ୍କ ନାବାଳିକା ଝିଅ ଚଳାଉ ଥିବାବେଳେ ଧରାପଡ଼ିଥିଲେ।

ପରିବହନ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା ଅଭିଯାନ କରାଯାଉଥିବା ପରେ ବି ନାବାଳକ-ନାବାଳିକାମାନେ ବାଇକ୍‌ ଚଳାଉଛନ୍ତି। ନିୟମ ଉଲ୍ଲଂଘନ କରୁଥିବା ସମୟରେ ରାଜ୍ୟରେ ଅନେକ ସମୟରେ ନାବାଳକ ଓ ନାବାଳିକା ବାଇକ ଚାଳକଙ୍କଠାରୁ ଜରିମାନା ଆଦାୟ କରାଯାଉଛି। କିନ୍ତୁ ଅଭିଭାବକମାନେ ଏଥିରୁ କୌଣସି ଶିକ୍ଷା ଗ୍ରହଣ କରିପାରୁ ନାହାନ୍ତି।

ସମ୍ବନ୍ଧିତ ଖବର