କଟକ ଓ କେନ୍ଦୁଝରରେ ୨ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ନାବାଳକ ଅଟକ, ଅନ୍ୟ ଜଣେ ଅଭିଯୁକ୍ତ ଫେରାର

ଭୁବନେଶ୍ୱର: କଟକ ଜିଲ୍ଲାର ଚୌଦ୍ୱାର ଓ କେନ୍ଦୁଝର ଜିଲ୍ଲାର ବାମେବାରୀ ଅଞ୍ଚଳରେ ୨ ଜଣ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଜଣାପଡ଼ିଛି । କେନ୍ଦୁଝର ଜିଲ୍ଲାରେ ଘଟିଥିବା ଘଟଣାରେ ପୋଲିସ ଜଣେ ନାବାଳକକୁ ଅଟକ ରଖି ପଚରାଉଚରା କରୁଥିବା ବେଳେ କଟକ ଜିଲ୍ଲାରେ ଘଟିଥବା ଘଟଣାରେ ଜଣେ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲାର ବାମେବାରୀ ଥାନା ଅନ୍ତର୍ଗତ ଏକ ଜଙ୍ଗଲ ଭିତରେ ୬ ବର୍ଷର ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ଏହି ଘଟଣାରେ ନାବାଳିକାର ପଡ଼ୋଶୀ ନାବାଳକ ସଂପୃକ୍ତ ଥିବା କୁହାଯାଉଛି । ଦୁଷ୍କର୍ମ ପରେ ନାବାଳିକାକୁ କାଠ ଫାଳରେ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ନାବାଳିକାର ମୃତଦେହ ଠାବ ହେବା ପରେ ପୁଲିସ ଘଟଣାର ତଦନ୍ତ କରୁଛି । ଏଥି ସହିତ ଜଣେ ନାବାଳକକୁ ଅଟକ ରଖି ପଚରାଉଚରା କରୁଛି ।

ସେହିପରି କଟକ ଜିଲ୍ଲାର ଚୌଦ୍ୱାର ଥାନା ଅନ୍ତର୍ଗତ ମହିଷିଆଲଣ୍ଡା ଗ୍ରାମର ଯୁବକ ଗତକାଲି ନିକଟସ୍ଥ କାଜୁ ଜଙ୍ଗଲରେ ଜଣେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିଥିଲା । ଏନେଇ ପୀଡ଼ିତାଙ୍କ ପିତା ଥାନାରେ ଅଭିଯୋଗ କରିଥିଲେ । ଆଜି ଚୌଦ୍ୱାର ପୁଲିସ ଘଟଣାର ତଦନ୍ତ କରି ସଂପୃକ୍ତ ନାବାଳିକା ଡାକ୍ତରୀମାଇନା କରିଥିବା ଜଣାପଡ଼ିଛି । ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି । ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ସମ୍ବନ୍ଧିତ ଖବର