ଗଂଜାମ: ଦ୍ରାରିଦ୍ର୍ୟତା ନେଲା ଜୀବନ! ରାଜ୍ୟରେ ରଜ ପର୍ବ ପାଳନ ଚାଲିଥିବା ବେଳେ କବିସୂର୍ଯ୍ୟନଗରରେ ୨ ନାବାଳିକାଙ୍କ ମୃତ୍ୟୁ

ଭଂଜନଗର (ଜ୍ଞାନଚାନ୍ଦ ଜଗନ୍ନାଥ): ସାରା ରାଜ୍ୟରେ ଧୂମଧାମରେ ରଜ ପର୍ବ ପାଳନ ହେଉଥିବା ବେଳେ ଗଂଜାମ ଜିଲ୍ଲାର କବିସୂର୍ଯ୍ୟନଗର ଅଂଚଳରେ ୨ ଜଣ ନାବାଳିକାଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ ଦାରିଦ୍ର୍ୟତା ଯୋଗୁଁ ୨ ଜଣ ନାବାଳିକା ଜିତା ଭୂୟା (୧୧) ଓ ଦୀପା ଭୂୟା (୧୭)ଙ୍କର ମୃତ୍ୟୁ ଘଟିଛି।

କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୁଡିଆଳି ଗାଁର ପଦ୍ମନାଭ ଭୂୟା ବାହାର ରାଜ୍ୟରେ ଦାଦନ ଖଟିବାକୁ ଯାଇଥିଲେ। ଛଅ ଦିନ ପୂର୍ବରୁ ସେ ଘରକୁ ଫେରିଥିଲେ। ଘରେ ତାଙ୍କର ଆର୍ଥିକ ପରିସ୍ଥିତି ଠିକ ନଥିବାରୁ ସ୍ତ୍ରୀ ଓ ୨ ପୁଅ ଏବଂ ୨ ଝିଅଙ୍କୁ ପାଳିବା ସହଜ ହେଉ ନଥିଲା। ଆର୍ଥିକ ସମସ୍ୟା ଯୋଗୁଁ ଘରେ ଅଧିକାଂଶ ସମୟ କଳହ ଲାଗି ରହୁଥିଲା। ଦୀପା ଓ ଜିତା ବାପାଙ୍କ ଦ୍ୱାରା ନିର୍ଯ୍ୟାତନାର ସମ୍ମୁଖୀନ ହେଉଥିଲେ ବୋଲି କିଛି ଗାଁ ଲୋକ କହୁଛନ୍ତି।

ଗାଁ ମଶାଣୀରେ ଜଳିଲା ଜୁଇ, ଲୋକଙ୍କ ଉଚ୍ଚସ୍ତରୀୟ ତଦନ୍ତ ଦାବି

ସାରା ରାଜ୍ୟରେ ପହିଲି ରଜ ପାଳନ ହେଉଥିବା ବେଳେ ଗୁଡ଼ିଆଳି ଗାଁରେ ଉତ୍ସବ ମୁଖର ହୋଇପାରି ନାହିଁ। ଗାଁ ମଶାଣୀରେ ଗୀତା ଓ ଦୀପାର ଶବ ସଂସ୍କାର କରାଯାଇଛି। ଗାଁ ଲୋକେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।

ପଦ୍ମନାଭଙ୍କର ପ୍ରଥମ ସ୍ତ୍ରୀ ରୀତା ଭୂୟାଙ୍କର ୪ ବର୍ଷ ତଳେ ମୃତ୍ୟୁ ହୋଇଥିଲା। ରୀତା ୩ ସନ୍ତାନର ଜନନୀ ଥିଲେ। ପ୍ରଥମ ସ୍ତ୍ରୀର ମୃତ୍ୟୁ ପରେ ପଦ୍ମନାଭ ନମିତାଙ୍କୁ ବିବାହ କରିଥିଲେ। ନମିତାଙ୍କର ଗୋଟିଏ ପୁଅ ଅଛି। ଆର୍ଥିକ ସମସ୍ୟା ଯୋଗୁଁ ପିଲାମାନେ ପାଠପଢ଼ି ପାରୁ ନଥିଲେ।

ଜିତା ଓ ଦୀପା ଗୁରୁବାର ରାତି ବିଷପାନ କରିଥିଲେ। ଏହା ପରେ ଆଜି ଉଭୟଙ୍କୁ ଗୁରୁତର ଅବସ୍ଥାରେ କବିସୂର୍ଯ୍ୟନଗର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଜିତାର ମୃତ୍ୟୁ ଘଟିଛି। ଦୀପାର ଅବସ୍ଥା ଅଧିକ ଗୁରୁତର ହେବାରୁ ତାକୁ ବ୍ରହ୍ମପୁର ନିଆଯାଉଥିଲା କିନ୍ତୁ ବାଟରେ ତା’ର ମୃତ୍ୟୁ ଘଟିଥିଲା। ସୂଚନା ପାଇ ପୁଲିସ ଗୁଡ଼ିଆଳି ପହଂଚି ପଦ୍ମନାଭ ଭୂୟାଙ୍କୁ ଅଟକ ରଖି ପଚରାଉଚରା କରୁଛି ବୋଲି ଆଇଆଇସି ତପନ କୁମାର ପତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର