ଖୋଲୁଛି ଶିକ୍ଷା ବିଭାଗର ଗୁମର: ଇସ୍ତଫା ଦେଲେ ଆଉ ୨ ଜଣ ଜାଲ୍‌ ଶିକ୍ଷକ, ସଂଖ୍ୟା ପହଂଚିଲା ୯

ସନ୍ଦେହ ଘେରରେ ୧୯ ଜଣ ଶିକ୍ଷକଙ୍କ ବିଏଡ ପ୍ରମାଣ ପତ୍ର, ୭୧ ଜଣ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ

କୋଦଳା/ବ୍ରହ୍ମପୁର: ଜାଲ୍‌ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ଘଟଣାକୁ ନେଇ ଗଂଜାମ ଜିଲ୍ଲା ଶିକ୍ଷା ବିଭାଗ ଏବେ ସରଗରମ ଥିବା ବେଳେ ଶୁକ୍ରବାର ବେଗୁନିଆପଡ଼ା ବ୍ଳକର ମଂଗଳପୁର ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ପରମାନନ୍ଦ ସାହୁ ତାଙ୍କର ପଦବୀରୁ ଇସ୍ତଫା ଦେଇଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। ସେହଭଳି ଜିଲ୍ଲାର କବିସୂର୍ଯ୍ୟନଗର ବ୍ଲକର ଜଣେ ଶିକ୍ଷକ ଭିକାରୀ ଚରଣ ସାହୁ ମଧ୍ୟ ଚାକିରିରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫା ପତ୍ର ଡାକ ଯୋଗେ ମିଳିଥିବା ବିଇଓ କମଳାକାନ୍ତ ସାହୁ କହିଛନ୍ତି।

ଗଂଜାମ ଜିଲ୍ଲାର ବେଗୁନିଆପଡ଼ା, ଖଲ୍ଲିିକୋଟ, କବିସୂର୍ଯ୍ୟନଗର, ପୋଲସରା, ଧରାକୋଟ ସମେତ ବିଭିନ୍ନ ବ୍ଲକରେ ବହୁ ଜାଲ୍‌ ଶିକ୍ଷକ ଶିକ୍ଷୟିତ୍ରୀ ଥିବା ନେଇ ଅଭିଯୋଗ କରିଛି ଏହି ମଞ୍ଚ। ଏହାପରେ ଶିକ୍ଷା ବିଭାଗର ନିଦ ଭାଙ୍ଗିଛି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବିଭିନ୍ନ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଗସ୍ତ ଏବଂ ଏନେଇ ଛାନଭିନ୍‌ ପରେ ପରେ ଜାଲ୍‌ ଶିକ୍ଷକ ଶିକ୍ଷୟିତ୍ରୀ ଏବେ ଛାନିଆଁ ଯତେବେ ଏବେ ବି ଜାଲ୍‌ ଶିକ୍ଷକ ଶିକ୍ଷୟିତ୍ରୀ ମୋଟା ଅଙ୍କର ଦରମା ଲୋଭରେ କାର୍ଯ୍ୟ କରୁଥିବା ବେଳେ କିଛି ଶିକ୍ଷକ ଶିକ୍ଷୟିତ୍ରୀ ଚାକିରି ଛାଡି ଲୁଚିଥିବା ଜଣାପଡିଛି।

ଗଣଶିକ୍ଷା ବିଭାଗରେ ଚୂନ ଲଗାଇ ବର୍ଷ ବର୍ଷ ଧରି କାର୍ଯ୍ୟ କରୁଛନ୍ତି ଜାଲ୍‌ ଶିକ୍ଷକ ଶିକ୍ଷୟିତ୍ରୀ। ସମସ୍ତ ବ୍ୟବସ୍ଥା ଥାଇ ଶିକ୍ଷା ବିଭାଗ ଜାଲ୍‌ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଧରି ପାରୁନଥିବା ବେଳେ ଗଂଜାମ ଜିଲ୍ଲା ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚ ପକ୍ଷରୁ ଏବେ ଜାଲ୍‌ ଶିକ୍ଷକକୁ ନେଇ ଅଭିଯୋଗ ତାଲିକା ବଢ଼ି ଚାଲିଛି।

ଇସ୍ତଫା ଦେଇଥିବା ପରମାନନ୍ଦ ସାହୁ ନିଜର ପାରିବାରିକ ସମସ୍ୟା ଓ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଚାକିରି ଛାଡୁଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଥିବା ବେଳେ ବିଇଓ ଏହି ଇସ୍ତଫା ପତ୍ରକୁ ନେଇ ସନ୍ତୁଷ୍ଟ ନଥିବା ଏବଂ ନିୟମ ଅନୁସାରେ ପଦକ୍ଷେପ ନେବେ ବୋଲି କହିଛନ୍ତି। ଆଗକୁ ଆହୁରି ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଏହି ବ୍ଲକରୁ ଇସ୍ତଫା ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ ଗଞ୍ଜାମ ଜିଲ୍ଲାରେ ୧୯ ଜଣ ଶିକ୍ଷକଙ୍କ ବିଏଡ ପ୍ରମାଣପତ୍ର ସନ୍ଦେହ ହେବାରୁ ଯାଞ୍ଚ ପାଇଁ ସେଗୁଡ଼ିକ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ପଠାଯାଇଛି। ସେହିପରି ୭୧ ଜଣ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ଆସିଛି। ୭ ଜଣ ନକଲି ଶିକ୍ଷକ ପୂର୍ବରୁ ଧରାପଡ଼ିଥିବା ବେଳେ ଏବେ ପୁଣି ୨ ଜଣ ଚାକିରୀରୁ ଇସ୍ତଫା ଦେଇଛନ୍ତି।

ସମ୍ବନ୍ଧିତ ଖବର