ଏକାଉଣ୍ଟରରେ୨ ନକ୍ସଲ ନିହତ, ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

ମାଲକାନଗିରି: ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ପୁଲିସ ଏନକାଉଣ୍ଟରରେ ୨ ଜଣ ନକ୍ସଲଙ୍କର ମୃତ୍ୟୁ ହୋଇଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ନାରାୟଣପୁରର ଡିଆରଜି ଯବାନ ଅରଛୁ ଅଂଚଳର ଇତୁଲ, ଗୋରବାୟା, ଭାଟବେଡା, ବଡ ଟୋଣ୍ଟାବେଡା ଏବଂ ଆଦେର ଜଂଗଲରେ ଚଢାଉ କରିଥିଲେ।

ଆଜି ସକାଳ ୯ଟା ବେଳେ ଯବାନ ମାଓ କ୍ୟାମ୍ପ ନିକଟରେ ପହଞ୍ଚିବା ପରେ ମାଓବାଦୀ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଗୁଳିବିନିମୟ ଘଟିଥିଲା। ଏହି ଗୁଳିବିନିମୟ ପରେ ଯବାନ ଘଟଣାସ୍ଥଳର ସର୍ଚ୍ଚ ଅପରେସନ କରୁଥିବା ବେଳେ ୨ ଜଣ ମାଓବାଦୀଙ୍କ ଶବକୁ ଉଦ୍ଧାର କରିଛି। ଏଥିସହ ବନ୍ଧୁକ ସହ ବହୁ ମାତ୍ରାରେ ବିସ୍ଫୋରକ ଜବତ କରିଛି।

ଆଜି ଦିନ ୨ଟା ବେଳେ ପୁଣି ମାଓବାଦୀ ଯବାନଙ୍କ ଉପରେ ଗୁଳି ଚଳାଇଥିଲେ। ତେବେ ବର୍ତ୍ତମାନ ମଧ୍ୟ ଘଟଣାସ୍ଥଲରେ ଯବାନ ସର୍ଚ୍ଚ ଅପରେସନକୁ ଜୋରଦାର କରୁଛନ୍ତି। ମୃତ୍ୟୁବରଣ କରିଥିବା ମାଓବାଦୀଙ୍କ ଶବ ଚିହ୍ନଟ ହୋଇନଥିବା କୁହାଯାଇଛି। ଆଜି ପର୍ଯ୍ୟନ୍ତ ଜୁନ ମାସରେ ବସ୍ତର ରେଂଜରେ ୫ ଜଣ ମାଓବାଦୀଙ୍କୁ ପୁଲିସ ମାରିବାରେ ସଫଳ ହୋଇଛି। ଲଗାତାର ଛତିଶଗଡର ନକ୍ସଲ ପ୍ରବଣ ଅଂଚଳଗୁଡିକରେ ଯବାନ କୁମ୍ବିଂକୁ ଜୋରଦାର କରୁଛନ୍ତି।

ସମ୍ବନ୍ଧିତ ଖବର