ଦୁଇ ଆଦର୍ଶ ବୃଦ୍ଧ-ବୃଦ୍ଧାଙ୍କ କାହାଣୀ…୮୭ ବର୍ଷର ବୃଦ୍ଧ କଦଳୀ ବିକୁଛନ୍ତି

୩୩ଟଙ୍କା ମଜୁରିରେ ହାଟ ସଫେଇ କରୁଛନ୍ତି ୭୦ ବର୍ଷୀୟା ବିଧବା

ରାଜନଗର: ପରିଣତ ବୟସରେ ଦୁଇ ବୃଦ୍ଧ ବୃଦ୍ଧା କାହା ପାଖରେ ହାତ ପତେଇ ନ ବଂଚିବା ପାଇଁ ନିଜେ ରୋଜଗାର କରୁଛନ୍ତି। ୮୭ ବର୍ଷୀୟ ବୃଦ୍ଧ ପ୍ରତିଦିନ ରାଜନଗର ବଜାରକୁ ଆସି ପାଚିଲା କଦଳୀ ବ୍ୟବସାୟ କରୁଛନ୍ତି। ଆଉ ଜଣେ ୭୦ ବର୍ଷୀୟା ବିଧବା ନିଜ ପେଟ ପୋଷିବା ପାଇଁ ଦୈନିକ ମାତ୍ର ୩୩ ଟଙ୍କା ଦରମାରେ ହାଟ ସଫେଇ କରୁଛନ୍ତି। ବୃଦ୍ଧଙ୍କର କୌଣସି ଅଭାବ ନଥାଇ ମଧ୍ୟ ନିଜେ ଜୀବନ ଶେଷ ବୟସ ଯାଏ କାହା ପାଖରେ ହାତ ନପତେଇବା ଓ ଶେଷ ପର୍ଯ୍ୟନ୍ତ ଚଳଚଂଚଳ ରହିବା ପାଇଁ କଦଳୀ ବ୍ୟବସାୟ କରୁଥିବା ବେଳେ ବୃଦ୍ଧାଜଣକ ନିଜ ପେଟ ପୋଷିବା ପାଇଁ ହାଟ ସଫେଇ କରିବା ଭଳି ଦୁଇଟି ଖବର ଆମକୁ ପ୍ରେରଣା ଦେଇଛି।
ରାଜନଗର ପରିବା ହାଟରେ ଗଦା ହୋଇଥିବା କୁଢ କୁଢ ଅଳିଲିଆ, ଆବର୍ଜନା ଓ ପଚା ପନିପରିବାକୁ ସଫେଇ କରୁଛନ୍ତି ଜଣେ ୭୦ ବର୍ଷୀୟା ବୃଦ୍ଧା। ସ୍ବାମୀ ୧୫ ବର୍ଷ ତଳୁ ଆରପାରିକୁ ଚାଲିଗଲା ପରେ ପରିବାରରେ ସମ୍ପୂର୍ଣ୍ଣ ଏକା ରାଜନଗର ବ୍ଲକ କେରେଡାଗଡ ଗାଁର ନୟନା ଗୋଚ୍ଛାୟତ (୭୦ ବର୍ଷ)। ଏକମାତ୍ର ଝିଅର ବିବାହ ହୋଇଯାଇଥିବାରୁ ଘରେ ଆଉ କେହି ନାହାନ୍ତି। ନିଜେ ବଂଚିବା ପାଇଁ ଗତ ୩ ବର୍ଷ ହେଲା ରାଜନଗର ସାପ୍ତାହିକ ହାଟର ସଫେଇ କରୁଛନ୍ତି। ଆଞ୍ଚଳିକ ବଜାର ନିୟନ୍ତ୍ରଣ କମିଟି (ଆର୍‌ଏମ୍‌ସି) ପକ୍ଷରୁ ବୃଦ୍ଧାଙ୍କୁ ଏହି ନିଯୁକ୍ତି ଦିଆଯାଇଛି। ରାଜନଗର ସାପ୍ତାହିକ ହାଟ ପ୍ରତି ସୋମବାର ଓ ଶୁକ୍ରବାର ବସିଥାଏ। ବୃଦ୍ଧାଜଣଙ୍କ ହାଟ ଦିନ ଓ ହାଟର ପୂର୍ବଦିନ କେରେଡ଼ାଗଡ଼ରୁ ରାଜନଗର ଆସି ହାଟ ସଫେଇ କରିଥାନ୍ତି। ପରିବା ମାକେର୍ଟକୁ ଏକାକି ସଫେଇ କରିବା ସହ ଅଳିଆ ଆବର୍ଜନା ଓ ଗଦା ହୋଇଥିବା କୁଢ କୁଢ ପଚା ପନିପରିବା ଅନ୍ୟତ୍ର ନେଇ ପକାଇଥାନ୍ତି। ହାଟ ସଫେଇର ଦାୟିତ୍ବ ନେଇଥିବା ବୃଦ୍ଧାଙ୍କୁ ଆର୍‌ଏମ୍‌ସି ପକ୍ଷରୁ ମାସିକ ମାତ୍ର ୧ ହଜାର ଟଙ୍କା ଦିଆଯାଉଛି। କେରେଡ଼ାଗଡ଼ରୁ ରାଜନଗର ୭ କିମି ଯା’ଆସ ପାଇଁ ବୃଦ୍ଧାଙ୍କର ଏହି ଟଙ୍କା ଅଟୋ ଖର୍ଚ୍ଚରେ ହିଁ ସରିଯାଉଛି। ହାଟ ସଫା କରିବା ପରେ ପରିବା ବ୍ୟବସାୟୀମାନେ ଗୋଟେ ଦୁଇଟି କରି ଯେଉଁ ପରିବା ଦେଇଥାନ୍ତି, ତାହାହିଁ ତାଙ୍କର ପାଉଣା। ସରକାର ଅଣକୁଶଳୀ ଶ୍ରମିକମାନଙ୍କ ମଜୁରି ନିକଟ ଅତିତରେ ବୃଦ୍ଧି କରିଛନ୍ତି। ୨୧୫ ଟଙ୍କା ପରିବର୍ତ୍ତେ ଏବେ ସରକାର ୨୨୨ ଟଙ୍କା ମଜୁରି ଦେଉଛନ୍ତି। ଅଥଚ ସରକାରୀ ବାବୁଙ୍କ ଦ୍ବାରା ନିଯୁକ୍ତି ପାଇ ହାଟ ସଫେଇର ଗୁରୁ ଦାୟିତ୍ବ ନେଇଥିବା ୭୦ ବର୍ଷୀୟା ନୟନାଙ୍କୁ ଆର୍‌ଏମ୍‌ସି ମାସିକ ହଜାରେ ଟଙ୍କା ଅର୍ଥାତ୍ ଦୈନିକ ୩୩ ଟଙ୍କା ୩୩ ପଇସା ଦରମା ଦେଉଛି। ସରକାରୀ ବ୍ୟବସ୍ଥାରେ ଏହା କିପରି ସମ୍ଭବ, ତାହାକୁ ନେଇ ପ୍ରଶ୍ନ ଉଠିଛି। ଆର୍‌ଏମ୍‌ସି କର୍ତ୍ତୃପକ୍ଷ ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କୁ ଦୈନିକ ମାତ୍ର ୩୩ ଟଙ୍କା ମଜୁରିରେ କାମ କରାଇବା ଘଟଣାକୁ ନେଇ ସବୁ ମହଲରେ ପତିକ୍ରିୟା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ବୃଦ୍ଧାଜଣକ କାହା ପାଖରେ ହାତ ନପତାଇ ପରିଣତ ବୟସରେ ଦୈନିକ କୁଢ କୁଢ ଅଳିଆ ଆବର୍ଜନା ମାତ୍ର ୩୩ ଟଙ୍କା ଦରମାରେ ସଫେଇ କରିବା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି।

Sambad

ସେହିପରି, ରାଜନଗର ବ୍ଲକ ସାନବଡ଼ଗୋପାଳପୁର ଗାଁର ନରହରି ରାଉତ (୮୭)ଙ୍କ ଚମ ଧୁଡ଼ୁଧୁଡ଼ୁ ହେଲାଣି। ଠିକ୍‌ ଭାବେ ଚାଲି ମଧ୍ୟ ପାରୁ ନାହାନ୍ତି। ମାତ୍ର ଏବେ ବି ରାଜନଗର ବଜାରକୁ ଆସି ସକାଳୁ ସଂଧ୍ୟା ଯାଏ ବ୍ୟବସାୟ କରୁଛନ୍ତି। ରାଜନଗର ବଜାର ଉପରେ ଗତ ୪୦ ବର୍ଷ ହେଲା ପାଚିଲା କଦଳୀ ବ୍ୟବସାୟ କରି ଆସୁଛନ୍ତି। ତାଙ୍କ ନାତି ସକାଳେ ମଟରସାଇକଲରେ ଆଣି ରାଜନଗର ବଜାରରେ ଛାଡି ଦେଇଯାଏ ଓ ସଂଧ୍ୟାରେ ଘରକୁ ନେଇଯାଏ। ୮୭ ବର୍ଷୀୟ ନରହରି ଅଳ୍ପ କଦଳୀ ଧରି ବସି ବ୍ୟବସାୟ କରନ୍ତି। ରାଜନଗର ସାପ୍ତାହିକ ହାଟ ସୋମ ଓ ଶୁକ୍ରବାର ଦିନ ୧୦/୧୨ କାନ୍ଦି କଦଳୀ ବିକ୍ରି କରୁଥିବା ବେଳେ ଅନ୍ୟ ଦିନେ ୨/୩ କାନ୍ଦି କଦଳୀ ବିକ୍ରି କରିଥାନ୍ତି। ଅଧିକ ଲାଭ ନରଖି ନିଜର ବ୍ୟକ୍ତିଗତ ଖର୍ଚ୍ଚ ଉଠିବା ଭଳି ଲାଭ ରଖି ବ୍ୟବସାୟ କରିଥାନ୍ତି। ତାଙ୍କ କହିବା କଥା ହେଲା, ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ। ଜଣେ ପୁଅ ବ୍ୟବସାୟ କରୁଛି ଓ ଅନ୍ୟଜଣେ ମୁମ୍ବାଇରେ। ସେ କାହା ଉପରେ ନିର୍ଭରଶୀଳ ନୁହନ୍ତି। କାହାକୁ ଆଜି ଯାଏ ନିଜ ଖର୍ଚ୍ଚ ପାଇଁ ହାତ ପାତି ନାହାନ୍ତି। ନିଜ ଖର୍ଚ୍ଚ ସହିତ ଅନେକ ସମୟରେ ଘର ପାଇଁ ମଧ୍ୟ ସଉଦା ପତ୍ର ନେଇଥାନ୍ତି। ସେ ସବୁଦିନ ବଜାର ଆସି ବ୍ୟବସାୟ କରିବା ସହ ସାପ୍ତାହିକ ହାଟ ବ୍ୟତୀତ ଅନ୍ୟଦିନେ ଏଠାରେ ପଶାପାଲି ଖେଳିଥାନ୍ତି। ଏହାଦ୍ବାରା ମୋର ମନ ଫୁର୍ତି ରହିବା ସହ ଆଜିଯାଏ ମୁଁ ଫିଟ୍‌ ଅଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର