ନୂଆଜୀବନ ପାଇବେ ଦୁଇ ବୃଦ୍ଧା

କୋରାପୁଟ: କିଛି ବର୍ଷ ହେଲା ଘରଠାରୁ ଅଲଗା ହୋଇଯାଇଥିଲେ ମୁମ୍ବାଇର ସୁବାସନୀ କୁମାରୀ ଓ ଆହ୍ଲାବାଦର ରାଧା କୁମାରୀ। ପରିବାରଠାରୁ କିଏ ଓ କିପରି ଅଲଗା କଲେ ଏବଂ ସେମାନେ କିପରି କୋରାପୁଟକୁ ଆସିଲେ ଜାଣିପାରିଲେ ନାହିଁ। କିନ୍ତୁ ଗୁରୁତର ଅବସ୍ଥାରେ ମେଡିକାଲ ପରିସରରେ ପଡି ରହିଥିବା ଦେଖିବାକୁ ମିଳିଥିଲା। ଏହାପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ଏବେ ସେମାନେ ନୂଆ ଜୀବନ ପାଇବେ। ଦୀର୍ଘ ୨୦ ବର୍ଷ ପରେ ସେମାନେ ଘରକୁ ଫେରିବେ ବୋଲି ଜଣାପଡିଛି।

ବର୍ଷକ ପୂର୍ବେ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ୍ ହସ୍ପିଟାଲ ନିକଟରୁ ସୁବାସୀନି ଓ ମାଲକାନଗିରି ଜିଲ୍ଲାରୁ ରାଧାଙ୍କୁ ଉଦ୍ଧାର କରାଯାଇ କୋରାପୁଟରେ ଥିବା ମିଶନାରୀ ଅଫ ଚାରିଟିରେ ଭର୍ତି କରାଯାଇଥିଲା । ଉଭୟ ମହିଳା ନିଜ ସମ୍ପର୍କରେ କିଛି ହେଲେ କହିପାରୁନଥିବା ଯୋଗୁଁ ବର୍ଷ ତମାମ ସେଠାରେ ରହି ଚିକିତ୍ସିତ ହେବା ସହ ନିଜ ସ୍ମରଣ ଶକ୍ତି ଆଂଶିକ ଭାବେ ଫେରିପାଇଥିଲେ। କିଛିମାତ୍ରାରେ ସ୍ମରଣ ଶକ୍ତି ଫେରିପାଇବା ପରେ ଉଭୟେ ନିଜ ନିଜ ସ୍ଥାନ ସମ୍ପର୍କରେ ସୂଚନା ଦେଇଥିଲେ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ର କର୍ମକର୍ତ୍ତା ଜଗନ୍ନାଥ ନାୟକ ଜଣାଇଛନ୍ତି ।

ସେ ଦୁହିଁଙ୍କ ମଧ୍ୟରୁ ଜଣେ ଆଲ୍ଲାହାବାଦ୍ ର ବାସିନ୍ଦା ହୋଇଥିବା ବେଳେ ଆଉଜଣେ ମୁମ୍ବାଇ ରୁ ଆସିଥିବା ଜଣାପଡ଼ିଛି । ସେମାନଙ୍କୁ ଆଜି ଜିଲ୍ଲା ପ୍ରଶାସନର ସହଯୋଗରେ ଭୁବନେଶ୍ୱର ପର୍ଯ୍ୟନ୍ତ ଏକ ଆମ୍ବୁଲାନ୍ସ ରେ ନେଇ ଶ୍ରଦ୍ଧା ନାମକ ଏକ ସ୍ୱେଛାସେବି ସଂଗଠନ କୁ ହସ୍ତାନ୍ତର କରାଯିବ ବୋଲି ଶ୍ରୀ ନାୟକ ଜଣାଇଛନ୍ତି । ସେଠାରୁ ସେମାନଙ୍କୁ ସେମାନଙ୍କ ଘରକୁ ପଠାଯିବାର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି । ଦୁଇ ମହିଳା ଅନେକ ଦିନ ପରେ ସ୍ଵଗୃହ କୁ ଫେରିଯିବା ର ଆନନ୍ଦ କୁ ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର