ବୌଦ୍ଧ: ଯୁଗ ପରିବର୍ତ୍ତନ ହେବାରେ ଲାଗିଛି। ମାତ୍ର ଲୋକଙ୍କ ମନରୁ ଅନ୍ଧବିଶ୍ୱାସର ଭୟ ଯାଉ ନାହିଁ। କିଛି ଲୋକଙ୍କ ଭୁଲ ପରାମର୍ଶ କାରଣରୁ ଜଣେ ଗରିବ ଭାଗ ଚାଷୀଙ୍କୁ ଅକଥନୀୟ କଷ୍ଟ ଭୋଗିବାକୁ ପଡୁଛି । ବୌଦ୍ଧ ବ୍ଲକ୍ ସରଣ୍ଡା ଗାଁର କ୍ଷୁଦ୍ର ଚାଷୀ ଚମ୍ପେଶ୍ୱର ପ୍ରଧାନଙ୍କ ଦୁଇଟି ବଳଦର ମୃତ୍ୟୁ ବିଦ୍ୟୁତ ଆଘାତରେ ହୋଇଛି। ତେବେ ବଳଦ ଯୋଡି ଜୁଆଡି ବନ୍ଧା ଅବସ୍ଥାରେ ମରିଥିବାରୁ ଏଥିପାଇଁ ଚମ୍ପେଶ୍ୱରଙ୍କୁ ପାତକ ପାପ ଲାଗିଥିବା ନେଇ କିଛି ଲୋକ କହିଥିଲେ। ପାତକ ପାପ କ୍ଷୟ ପାଇଁ ତାଙ୍କୁ ପ୍ରତିକାର କରିବାକୁ ପଡିବ ବୋଲି ଭୟ ଦେଖାଇବାରୁ ସେ ଦୁଇ ଦିନ ହେଲା ଏଥିପାଇଁ ଅକନୀୟ କଷ୍ଟ ସହି କଠିନ ନିୟମ ପାଳନ କରି ତାହାର ପ୍ରତିକାର କରୁଛନ୍ତି।
ସୂଚନା ଅନୁସାରେ ଗତ ସୋମବାର ଭୋର୍ ପ୍ରାୟ ୫ଟା ସମୟରେ ଚମ୍ପେଶ୍ୱର ବଳଦ ଜୋଡିରେ ଜୁଆଡି ଫାନ୍ଦୀ ହଳଲଙ୍ଗଳ କରିବାକୁ ଜମିକୁ ଯାଉଥିଲେ। ପୂର୍ବ ରାତିରୁ ଜମିରେ ଛିଣ୍ଡି ପଡିଥିବା ୧୧ କେ.ଭି. ଜୀବନ୍ତ ବିଦ୍ୟୁତ ତାରରେ ବଳଦ ଦୁଇଟି ଛନ୍ଦି ହୋଇ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିଲା। ଚମ୍ପେଶ୍ୱର ପଛରେ ଆସୁଥିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏସଂପର୍କରେ ଖବରପାଇ ବିଦ୍ୟୁତ ବିଭାଗ କର୍ମଚାରୀ ଘଟଣାସ୍ଥଳକୁ ପହଞ୍ଚି ଉକ୍ତ ତାରରୁ ବିଦ୍ୟୁତ କାଟିଥିଲେ।
ଅପରପକ୍ଷେ ତାଙ୍କୁ ପାତକ ଲାଗିଥିବା କହିବାରୁ ଚଂପେଶ୍ୱର କଠୋର ପ୍ରତିକାର କରୁଛନ୍ତି। କାହା ସହ କଥାବାର୍ତ୍ତା ନ ହେବା, ନିଜ ବେକରେ ପଘା ବାନ୍ଧିବା, ଗୋଟେ ଓଳି ଭୋଜନ କରିବା, ଗୁହାଳରେ ରହିବା, ସକାଳୁ ଗୋରୁପଲ ସହ ବୁଲିବା ଭଳି କଠୋର ନୀତି ନିୟମ ସପ୍ତାହେ ପାଇଁ ପାଳନ କରିବାକୁ ଆରମ୍ଭ କରିଛନ୍ତି। ସପ୍ତାହେ ପରେ ଜାତିଲୋକଙ୍କୁ ଭୋଜିଭାତ ଦେଇ ସେ ପାତକ କ୍ଷୟ କରିବେ ବୋଲି ଜଣାପଡିଛି।
ପ୍ରକାଶ ଥାଉକି ଗରିବ ଚମ୍ପେଶ୍ୱରଙ୍କ ମାତ୍ର ୪୦ରୁ ୫୦ ଡିସିମିଲ୍ ଚାଷ ଜମି ରହିଛି। ଏହା ସହିତ ସେ ଅନ୍ୟମାନଙ୍କ ଜମି ଭାଗରେ ଚାଷ କରି ପରିବାର ପ୍ରତିପୋଷଣ କରନ୍ତି। ଚାଷ କାର୍ଯ୍ୟ ପାଇଁ ଟ୍ରାକ୍ଟର ଭଡା ଯୋଗୁଁ ଅଧିକ ଖର୍ଚ୍ଚାନ୍ତ ହେଉଥିବା କାରଣରୁ ଗତ ବର୍ଷର ଉପାର୍ଜିତ ଟଙ୍କାରେ ପ୍ରାୟ ୮୦ହଜାରରେ ଚଳିତ ଖରିଫରେ ଦୁଇଟି ବଳଦ କିଣିଥିଲେ। ଏବେ ବଳଦ ମୃତ୍ୟୁ ତାଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି।