ପ୍ରଧାନ ଶିକ୍ଷକଙ୍କ ଘରୁ ୨ଟି ମୟୁର ଉଦ୍ଧାର କଲେ ମହିଳା ବନପାଳ; ଚିକିତ୍ସା ପରେ ତୁଳସୀ ପାହାଡ଼ରେ ଛାଡିଲେ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବନ ବିଭାଗ ତରଫରୁ ଦୁଇଟି ମୟୁର ଉଦ୍ଧାର କରାଯାଇଛି। ଏହି ଦୁଇ ମୟୁରକୁ ଚିକିତ୍ସା ପରେ ପୁଣି ଜଂଗଲରେ ଛଡାଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ମାଥିଲି ବନ ବିଭାଗରେ କାର୍ଯ୍ୟରତ ସାଲିମି ଫରେଷ୍ଟର କ୍ଷୀରଲତା ନାୟକ ବିଶେଷ ସୂତ୍ରରୁ ଖବର ପାଇଥିଲେ ଯେ ତୁଳସୀ ପାହାଡରୁ ଦୁଇଟି ମୟୁର ମହୁପଦର ଗ୍ରାମରେ ପଳାଇ ଆସିଛି। ମହୁପଦର ଗ୍ରାମର ପ୍ରଧାନ ଶିକ୍ଷକ ଭବାନୀଶଂକର ଦଳବେହେରା ସେହୁ ଦୁଇ ମୟୁରଙ୍କୁ ଆଣି ପାଖରେ ରଖିଥିଲେ। ତୁରନ୍ତ କ୍ଷୀରଲତା ନିଜର ସହଯୋଗୀ ମାନଙ୍କୁ ନେଇ ମହୁପଦର ଗ୍ରାମରେ ପହଞ୍ଚି ମୟୁର ରଖିଥିବା ପ୍ରଧାନ ଶିକ୍ଷକଙ୍କ ଘରେ ଚଢାଉ କରିଥିଲେ।

Sambad

ପ୍ରଧାନ ଶିକ୍ଷକଙ୍କ ଘରୁ ସେହି ଦୁଇ ମୟୁରଙ୍କୁ ଉଦ୍ଧାର କରି ପୁଣି ଚିକିତ୍ସା ପରେ ଜଂଗଲରେ ଛାଡି ଦେଇଥିଲେ। ବନପାଳ କ୍ଷୀରଲତା ଗତ କିଛି ଦିନ ତଳେ ସାଲିମି ଅଂଚଳରେ ଶାଗୁଆମ ପଟା ମଧ୍ୟ ଜବତ କରିଥିଲେ। ଜଣେ ମହିଳା ବନପାଳ ହୋଇ ନକ୍ସଲ ପ୍ରବଣ ଅଂଚଳରେ କାର୍ଯ୍ୟକରି ବେଶ ପ୍ରଶଂସିତ ହୋଇଛନ୍ତି। ତାଂକର ସାହସିକତା, ବନ୍ୟଜନ୍ତୁ ସୁରକ୍ଷା, ଜଂଗଲ ସୁରକ୍ଷା ନେଇ ଚଳିତ ବର୍ଷ ସେ ଜଂଗଲ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଠାରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି। ତେବେ କ୍ଷୀରଲତା ନାୟକ ମାଥିଲି ବନାଞ୍ଚଳର ଜଣେ ଦକ୍ଷ ବନପାଳ ବୋଲି ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧିତ ଖବର