ମାଲକାନଗିରି: ସୀମାନ୍ତ ଛତିଶଗଡର ବସ୍ତର ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣର ଶିକାର ହୋଇଛି ଏକ ଯାତ୍ରୀବାହୀ ବୋଲେରୋ। ଆଜି ସକାଳେ ଏହି ବଲେରୋଟି ବସ୍ତର ଜିଲ୍ଲାର ମାଲବାଲୀ ଥାନା ଅନ୍ତର୍ଗତ ବୋଡଲି ନିକଟରେ ଯାଉଥିବା ବେଳେ ହଠାତ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ବୋଲେରୋର ଗୋଟିଏ ପାଖ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଦୁଇ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଆହତମାନେ ହେଲେ ଧନସିଂ ସିଲଦାର ଓ ରୁପିଲାଲ କୁରାପ। ଏମାନେ ମଧ୍ୟପ୍ରଦେଶର ବାସିନ୍ଦା ହୋଇଥିବା ବେଳେ ତେଲେଙ୍ଗାନା ଯିବା ସମୟରେ ଏଭଳି ଘଟଣା ଘଟିଛି।
ଘଟଣାସ୍ଥଳରେ ଦନ୍ତେଓ୍ଵାଡ଼ା ଏସପି ଅଭିଷେକ ପଲ୍ଲବ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଦନ୍ତେଓ୍ଵାଡ଼ା ଜିଲ୍ଲା ଚିକିତ୍ସାଳୟକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଡାକ୍ତର ପ୍ରକାଶ କରିଛନ୍ତି। ଗାଡ଼ିର ଗୋଟିଏ ପଟେ ଆଂଶିକ ଭାବେ ବିସ୍ଫୋରଣ ହେବା ଫଳରେ ବୋଲେରୋର ଗୋଟିଏ ପାଖ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଗାଡ଼ିରେ ବସିଥିବା ଅନ୍ୟଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଥିବା କୁହାଯାଇଛି।
ଏହି ଘଟଣା ପୁଲିସ କ୍ୟାମ୍ପ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଘଟିଛି। ଯବାନଙ୍କୁ ଟାର୍ଗେଟ କରିବା ପାଇଁ ନକ୍ସଲ ରାସ୍ତାରେ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ। ତେବେ ଏହି ଲ୍ୟାଣ୍ଡମାଇନର ଶିକାର ହେଲେ ସାଧାରଣ ଜନତା। ପ୍ରକାଶ ଥାଉକି ଛତିଶଗଡର ପ୍ରାୟ ସମସ୍ତ ଜିଲ୍ଲାରେ ନକ୍ସଲ କବଜା କରିଥିବା ବେଳେ ଜଂଗଲି ରାସ୍ତାରେ ନକ୍ସଲ ପାଦ ପାଦକେ ବୋମା ଖଞ୍ଜିଛନ୍ତି। ଯାହାଫଳରେ ଯବାନଙ୍କ ବଦଳରେ ସାଧାରଣର ଲୋକେ ଏହାର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/Mkg-landmine-blast-2-injured-4-1.jpg)