ରାଉରକେଲାରୁ ଚାଲାଣ ହେଉଥିଲା କୋଲକାତା: ଗଞ୍ଜେଇ ଜବତ, ୨ ବେପାରୀ ଗିରଫ

ରାଉରକେଲା: ରାଉରକେଲାରେ ମାତିଛନ୍ତି ଝାଡଖଣ୍ଡର ଚୋରା ଗଞ୍ଜେଇ ବେପାରୀ। କୋରାପୁଟ, ରାୟଗଡା ଓ ମୁନିଗୁଡା ଆଦି ଅଞ୍ଚଳରୁ ବସ୍‌ ଓ ଟ୍ରେନ୍‌ ଯୋଗେ ଶହ ଶହ କେଜି ଗଞ୍ଜେଇ ରାଉରକେଲା ଆସୁଛି। ଏଠାରୁ ଟ୍ରେନ୍‌ ଯୋଗେ କୋଲକାତା, ଝାଡ଼ଖଣ୍ଡ, ବିହାର ଓ ରାଞ୍ଚି ଆଦି ଅଞ୍ଚଳକୁ ଚାଲାଣ ହେଉଛି। ଗତ ସପ୍ତାହ ମଧ୍ୟରେ ୪ରୁ ଅଧିକ ବେକାରୀ ଗିରଫ ହୋଇଥିଲାବେଳେ ଆଜି ଅବକାରୀ ପୁଲିସ ପଞ୍ଝାରେ ପଡିଛନ୍ତି ଆଉ ଦୁଇ ଝାଡ଼ଖଣ୍ଡ ବେପାରୀ। ରାଉରକେଲା ରେଳବାଇ ଷ୍ଟେସନ ଦେୟଯୁକ୍ତ ଶୌଚାଳୟ ନିକଟରେ ଟ୍ରଲି ବ୍ୟାଗ୍‌ରେ ଗଞ୍ଜେଇ ଧରି ବସିଥିବା ଅବକାରୀ ପୁଲିସକୁ ସୂଚନା ମିଳିଥିଲା। ରାଉରକେଲା ଅବକାରୀ ଅଧୀକ୍ଷକ ଶେକ୍‌ ଆସିଫ୍‌ ଅଲ୍ଲୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ପୁଲିସ ଘଟଣାସ୍ଥଳରେ ଚଢ଼ଉ କରି ଦୁଇ ବେପାରୀକୁ ଗିରଫ କରିଛନ୍ତି। ଗିରଫ ଦୁହେଁ ହେଲେ ଝାଡ଼ଖଣ୍ଡ ସରିଆଡିଲା ଥାନା ଅନ୍ତର୍ଗତ ବାବୁ ନଗରର ଜିତେନ୍ଦ୍ରର କୁମାର (୨୨), ଗିରିଡିହି ଥାନା ଅନ୍ତର୍ଗତ ଖଣ୍ଡିଆର ସନ୍ତୋଷ କୁମାର ପୁରି (୨୦)। ଏମାନଙ୍କ ନିକଟରୁ ପୁଲିସ ୩୫ କେଜି ୧୦୦ ଗ୍ରାମ୍‌ ଚୋରା ଗଞ୍ଜେଇ ଜବତ କରିଛି। ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ରାଉରକେଲା ଅବକାରୀ ପୁଲିସ, ରେଳାବାଇ ପୁଲିସ ଓ ଆର୍‌ପିଏଫ୍‌ ଯବାନ ରାଉରକେଲା ଷ୍ଟେସନରୁ ଅନେକ ବେପାରୀକୁ ଗିରଫ କରି କୋର୍ଟ କରିଥିଲେ।

ସମ୍ବନ୍ଧିତ ଖବର