୨୧୦ କିଲୋ ଗଂଜେଇ ସହ ନଗଦ ୨୫,୫୦୦ ଟଙ୍କା ଜବତ,୨ ଗିରଫ

ମାଲକାନଗିରି: ଚିତ୍ରକୋଣ୍ଡା ପୁଲିସକୁ ମିଳିଛି ପୁଣି ବଡ ସଫଳତା। ୨୧୦ କିଲୋ ଗଂଜେଇ ଜବତ କରିବା ସହ ୨ ଜଣ ଆସାମୀକୁ ଗିରଫ କରିବାରେ ସଫଳ ହୋଇଥିବା ଆଜି ପ୍ରେସ ବିଜ୍ଞପ୍ତିରେ ଏସଡିପିଓ ଅଂଶୁମାନ ଦ୍ବିବେଦୀ ପ୍ରକାଶ କରିଛନ୍ତି। ଗତକାଲି ରାତିରେ ଚିତ୍ରକୋଣ୍ଡା ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ଚିତ୍ରକୋଣ୍ଡା-ସିଲେରୁ ରାସ୍ତାର ରାଜୁଲକୋଣ୍ଡା ଫାର୍ମ ନିକଟରେ ଏକ ଅଟୋ ଆସୁଥିବା ଦେଖି ପୁଲିସ ତାକୁ ଅଟକାଇଥିଲା। ଅଟୋକୁ ଯାଞ୍ଚ କରିବା ସମୟରେ ସେଥିରେ ୭ଟି ଜରି ବ୍ୟାଗରେ ଗଂଜେଇ ଲୋଦା ହୋଇଥିବା ଦେଖିବାକୁ ପୁଲିସ ପାଇଥିଲା। ତୁରନ୍ତ ଅଟୋ ଡ୍ରାଇଭର ଅଜୟ ମାଛକୁ ଗିରଫ କରିବା ସହ ଅଟୋକୁ ମଧ୍ୟ ଜବତ କରିଥିଲା।

ଏହି ଗଂଜେଇକୁ ଓଜନ କରିବା ପରେ ୨୧୦ କିଲୋ ରହିଥିବା ଜଣାପଡିଥିଲା। ପୁଲିସ ଅଧିକା ଯାଞ୍ଚ କରିବା ପରେ ଏହି ଗଂଜେଇକୁ ଚିତ୍ରକୋଣ୍ଡାରୁ ସିଲେରୁକୁ ଚାଲାଣ କରିଥିବା ଗଂଜେଇ ମାଫିଆ ଚିତ୍ରକୋଣ୍ଡା ପଞ୍ଜାବୀଗୁଡାର କୃଷ୍ଣ ମାଛକୁ ମଧ୍ୟ ଗିରଫ କରିଥିଲା। ଏମାନଙ୍କ ଠାରୁ ୨୫,୫୫୦ ଟଂକା ନଗଦ ଜବତ କରାଯିବା ସହ ଗୋଟିଏ ମୋବାଇଲ ଫୋନ, ଦୁଇଟି ଆଧାର କାର୍ଡ ମଧ୍ୟ ଜବତ କରାଯାଇଥିବା କୁହାଯାଇଛି।

ତେବେ ପ୍ରାୟତଃ ପ୍ରତିଦିନ ଚିତ୍ରକୋଣ୍ଡାର ଦୁର୍ଗମ ଅଂଚଳରୁ କୋଟି କୋଟି ଟଂକାର ଗଂଜେଇ ଚାଲାଣ ହେଉଥିବା ବେଳେ ପୁଲିସ ମଧ୍ୟ ଏହାକୁ ରୋକ ଲଗାଇବାରେ ସଫଳ ହେଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର