ଚୋରି ମାମଲାରେ ଦୁଇ ଗିରଫ, ଚୋରି ସାମଗ୍ରୀ ଉଦ୍ଧାର

ଜଟଣୀ: ଜଟଣୀ ଥାନା ଅଧୀନରେ ଦୁଇଟି ପୃଥକ ଚୋରି ଘଟଣାରେ ଜଟଣୀ ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଧରି ଆଜି କୋର୍ଟ ଚାଲାଣ କରିଛି । ସୂଚନାନୁସାରେ, ଚଳିତ ମାସ ୨୩ ତାରିଖରେ ଜଟଣୀ ବଡ଼ତୋଟା ସାହି ନିବାସୀ ଭାରତୀ ରାଉତରାୟଙ୍କ ଘରେ ପଶି କେହି ଦୁର୍ବୃତ୍ତ ସୁନା ଅଳଙ୍କାର ଚୋରି କରି ନେଇଥିବା ନେଇ ଅଭିଯୋଗ କରିଥିଲେ । ପୁଲିସ ଏନେଥ ୨୩୯/୨୦୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୂର୍ବରୁ ଭାରତୀଙ୍କ ଘରେ ପଶି ସେହି ସାହିର ଗଦାଧର ଦାସ ନାମକ ଜଣେ ଯୁବକ ଛୋଟମୋଟ ଚୋରି କରିଥିବା ଅଭିଯୋଗ ରହିଥିଲା, ଏଣୁ ପୁଲିସ ଗଦାଧରକୁ ଆଣି ପଚରାଉଚୁରା କରିଥିଲା । ପରେ ପୁଲିସ ଚୋରି ହୋଇଥିବା ସୁନା ଚେନ୍ ଓ ମୁଦି ଗଦାଧରଙ୍କ ଠାରୁ ଜବତ କରିବା ସହ ଗଦାଧରଙ୍କୁ କୋର୍ଟ ଚାଲାଣ କରିଛି ।

ଅନ୍ୟଏକ ଚୋରି ମାମଲାରେ ଖୁଦୁପୁରର ପ୍ରିୟଦର୍ଶିନୀ ପାହାଡ଼ସିଂହଙ୍କ ଘରୁ ଚଳିତ ମାସ ୨୬ ତାରିଖରେ ଘରେ ସମସ୍ତ ସଦସ୍ୟଙ୍କ ଅନୁପସ୍ଥିତର ସୁଯୋଗ ଦେଇ କେହି ଦୁର୍ବୃତ୍ତ ଅଳଙ୍କାର ପେଢ଼ି ଓ ନଗଦ ୪୦ହଜାର ଟଙ୍କା ଚୋରାଇନେଇଥିବା ନେଇ ଅଭିଯୋଗ କରିଥିଲେ । ପୁଲିସ ଏନେଇ ୨୩୫/୨୦୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଶେଷରେ ସେହିଗ୍ରାମସର ବିଶ୍ୱଜିତ ବେହେରା ଓରଫ ବାବି (୨୨)କୁ ଗିରଫ କରି ତା’ ନିକଟରୁ ୧୭.୫୨୦ ଗ୍ରାମର ଏକ ସୁନା ହାର, ସୁନା ମୁଦି, ସୁନା ଲକେଟ୍, ସୁନା ଶଙ୍ଖା, ସୁନା କାନଫୁଲ ୩ଟି ଓ ନଗଦ ୨୩ହଜାର ଟଙ୍କା ଜବତ କରିଛି । ଆଜି ବିଶ୍ୱଜିତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ ।

ସମ୍ବନ୍ଧିତ ଖବର