ପାଣିରେ ବୁଡ଼ି ୨ ମୃତ; କୂଅରେ ପଡ଼ି ବୃଦ୍ଧାଙ୍କ ଜୀବନ ଗଲା, ଗାଧୋଇଲା ବେଳେ ପ୍ରାଣ ହରାଇଲେ ଯୁବକ

ରାମଚନ୍ଦ୍ରପୁର/ତେଲକୋଇ: ରାମଚନ୍ଦ୍ରପୁର ଥାନା କଇଁସିଆରି ଗ୍ରାମର ଜଣେ ବୃଦ୍ଧା ମଙ୍ଗଳବାର ରାତିରେ ଚୁଆରେ ପଡ଼ି ପ୍ରାଣ ହରାଇଛନ୍ତି। ଗ୍ରାମର କୁନ୍ତି ବିଶ୍ବାଳ (୯୪) ଗତକାଲି ବିଳମ୍ବିତ ରାତିରେ ଘରୁ କେଉଁଆଡ଼େ ଚାଲି ଯାଇଥିଲେ। ପରିବାର ଲୋକେ ‌ଅନେକ ଖୋଜାଖୋଜି କରିବା ସତ୍ତ୍ବେ ତାଙ୍କ ସନ୍ଧାନ ପାଇନଥିଲେ। ଆଜି ସକାଳେ ରାମଚନ୍ଦ୍ରପୁର ଥାନାରେ ତାଙ୍କ ପୁଅ ଅର୍ଜୁନ ବିଶ୍ବାଳ ମା’ ନିଖୋଜ ସମ୍ପର୍କରେ ଏତଲା ଦେଇଥିଲେ। ଅପରାହ୍‌ଣରେ ପଡ଼ୋଶୀଙ୍କ ବାଡ଼ିରେ ଥିବା ଚୁଆରେ କୁନ୍ତିଙ୍କ ମୃତଦେହ ଭାସୁଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି। ଏନେଇ କେସ୍‌ ନମ୍ବର ୬/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସେହିପରି ତେଲକୋଇ ଥାନା ଆକୁଳ ଗ୍ରାମରେ ଗାଧୋଇବା ବେଳେ ପୋଖରୀରେ ବୁଡ଼ିଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଲକ୍ଷ୍ମୀଧର ନାୟକ (୨୫)। ଆକୁଳ ଗ୍ରାମର ଚନ୍ଦ୍ରମଣି ନାୟକଙ୍କ ବଡ଼ପୁଅ ଲକ୍ଷ୍ମୀଧର ମଧ୍ୟାହ୍ନ ୧୨ଟା ସମୟରେ ହାଟସାହି ନିକଟସ୍ଥ ଗୋଳିଆବନ୍ଧକୁ ଗାଧୋଇବାକୁ  ଯାଇଥିଲେ। ଅସାବଧାନତା ଯୋଗୁଁ ସେ ପାଣିରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଖବର ପାଇ ତେଲକୋଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଲକ୍ଷ୍ମୀଧରଙ୍କୁ ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛି। ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରାଇଛି।

ସମ୍ବନ୍ଧିତ ଖବର