ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ଦୁଇଜଣଙ୍କ ମୃତ୍ୟୁ

କୁକୁଡ଼ାଖଣ୍ଡି: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଉପକଣ୍ଠ ସଦର ଥାନା ଅଧୀନ ବ୍ରହ୍ମପୁର-ଦିଗପହଣ୍ଡି ମୁଖ୍ୟରାସ୍ତା ଗୁଣ୍ଠବନ୍ଧ ଗ୍ରାମ ନିକଟରେ ଆଜି ସନ୍ଧ୍ୟା ୫ଟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳାଙ୍କ ସମେତ ୨ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମୃତକମାନେ ହେ‌ଲେ, ପାଟପୁର ଥାନା ପୋଡ଼ାମାରୀ ଗ୍ରାମର ରୁଦ୍ର ପ୍ରସାଦ ଓ ବ୍ରହ୍ମପୁର ବଡ଼ବଜାର ଥାନା ଖାସ୍ପା ସାହିର ଜି.ଭବାନୀଶଙ୍କର ଆଚାରୀ। ମନୋରମା ମହାପାତ୍ର ଏଥିରେ ଗୁରୁତର ହୋଇଥିବା ବେଳେ ଆଉ ଜଣେ ଗୁରୁତରଙ୍କ ପରିଚୟ ଏଯାବତ୍ ମିଳିପାରିନି। ରୁଦ୍ର ପ୍ରସାଦ ଓ ମନୋରମା ଗୋଟିଏ ବାଇକ୍‌ରେ ବ୍ରହ୍ମପୁରରୁ ପୋଡ଼ାମାରି ଯାଉଥିଲେ। ଏହି ସମୟରେ ଗୁଣ୍ଠବନ୍ଧ ନିକଟରେ ଦିଗପହଣ୍ଡିରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ଭବାନୀଙ୍କ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ସମସ୍ତେ ଛିଟିକି ପଡ଼ିଯାଇଥିବା ବେଳେ ରୁଦ୍ର ପ୍ରସାଦ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ସଦର ଥାନା ଏଏସ୍‌ଆଇ ଶଙ୍କର ଦଳାଇଙ୍କ ସମେତ ଅନ୍ୟମାନେ ପହଞ୍ଚି ତିନିଜଣ ଗୁରୁତରଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲକୁ ଆଣିଥିଲେ। କିନ୍ତୁ ଭବାନୀଶଙ୍କରଙ୍କୁ ମୃତ ଘୋଷଣା କରାଯାଇଥିଲା। ପୁଲିସ ଉଭୟ ବାଇକ୍‌କୁ ଜବତ କରିଛି। ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସହ ତଦନ୍ତ ଜାରି ରହିଥିବା ଥାନାଧିକାରୀ ମହେନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର