ପାଟଣାଗଡ଼/ରାଇରଙ୍ଗପୁର: ଆଜି (୨୦୨୩ ଜୁଲାଇ ୧୬) ବିଶ୍ବ ସର୍ପ ଦିବସ। ସର୍ପମାନଙ୍କର ସୁରକ୍ଷା ପାଇଁ ଏହି ଦିବସ ପାଳନ କରାଯାଉଥିବା ବେଳେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଓ ମୟୂରଭଂଜ ଜିଲ୍ଲା ରାଇରଂଗପୁର ଅଞ୍ଚଳରେ ସାପ କାମୁଡ଼ାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ନକୁଳ ବରିହା(୫୦) ଓ ଶିବାଜୀ ବାଗେ (୧୮)।
ସୂଚନା ଅନୁସାରେ ପାଟଣାଗଡ଼ ବ୍ଲକ କେରବେଡା ପଞ୍ଚାୟତ ପୁଟିସ ବାହାଲ ଗ୍ରାମର ଦଣ୍ଡ ନୃତ୍ୟ କଳାକାର ଭାବେ ପରିଚିତ ନକୁଳ ବରିହା ସକାଳେ ବର୍ଷା ହେବାରୁ ଘରେ ଥିଲେ। ଏହା ପୂର୍ବରୁ ଘରେ ଏକ ସାପ ଥିଲା। ନକୁଳ ବସିଥିବା ସ୍ଥାନକୁ ଆସି ତାଙ୍କୁ କାମୁଡ଼ିଥଲା। କଲେର ସାପ କାମୁଡ଼ିଥିବା ନେଇ ସେ ପରିବାରବର୍ଗଙ୍କୁ କହିବା ପରେ ତାଙ୍କୁ କେରବେଡ଼ା ସରପଞ୍ଚଙ୍କ ସ୍ବାମୀ ନିଜ ଗାଡ଼ିରେ ନେଇ ପାଟଣାଗଡ଼ ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ନକୁଳଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଶବ ବ୍ୟବଚ୍ଛେଦ ପରେ ତାଙ୍କ ମୃତଦେହକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରା ଯାଇଥିବା ଜଣାପଡିଛି। ନକୁଳଙ୍କ ପରିବାରରେ ସେ ଏକା ରୋଜଗାର କ୍ଷମ ବ୍ୟକ୍ତି ଥିବା ବେଳେ ବର୍ତ୍ତମାନ ତାଙ୍କ ବିୟୋଗ ପରେ ପରିବାରରେ ତାଙ୍କ ସ୍ତ୍ରୀ, ପୁଅ ଓ ଝିଅ ଅଛନ୍ତି। ସେମାନେ ବର୍ତ୍ତମାନ ଅସହାୟ ଅବସ୍ଥାରେ ଥିବା ବେଳେ ସେମାନଙ୍କୁ ସରକାରୀ ଯୋଜନାରେ ସାମିଲ କରାଯାଇ ସହାୟତା ପ୍ରଦାନ କରିବା ପାଇଁ ପରିବାରବର୍ଗ ପକ୍ଷରୁ ଦାବି କରାଯାଇଥିବା ଜଣାପଡ଼ିଛି।
ସେହିପରି ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ସାଗଯୋଡି ଗ୍ରାମର ଗରୀବ ଆଦିବାସୀ ପରିବାର ତପନ ବାଗେ, ତାଙ୍କ ପୁଅ ଶିବାଜୀ ତାଙ୍କ ପରିବାର ସହିତ ସପରିବାରେ ଖାଇପିଇ ଶୋଇବାକୁ ଯାଇଥିଲେ। ଶିବାଜୀ ଘର ଚଟାଣରେ ବିଛଣା ପକାଇ ଶୋଇଥିଲେ। ସେହି ସମୟରେ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା। ତାଙ୍କୁ ସକାଳେ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଯାମଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବକୁ ବ୍ୟବଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି।