ନାଗାବଳୀ ନଦୀରେ ବୁଡି ଦୁଇ ପର୍ଯ୍ୟଟକ ନିଖୋଜ; ବାପାକୁ ଉଦ୍ଧାର କରିବାକୁ ଯାଇ ପୁଅ ଭାସିଗଲା  

ଅନ୍ଧାର ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ  

ରାୟଗଡ଼ା: ମଝିଘରିଆଣି ଦର୍ଶନ କରିବାକୁ ଆସି ଝୁଲାପୋଲ ଦେଖିବାକୁ ଯାଇଥିବା ଦୁଇ ପର୍ଯ୍ୟଟକ ନାଗାବଳୀ ନଦୀରେ ବୁଡ଼ି ନିଖୋଜ ହୋଇ ଯାଇଛନ୍ତି। ନଦୀର ପ୍ରଖୋର ସ୍ରୋତରେ ଭାସିଯାଇ ଉଭୟ ବାପା ଓ ପୁଅ ନିଖୋଜ ଅଛନ୍ତି। ନିଖୋଜ ବାପା, ପୁଅ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର କାମ୍ପ ସାହି ବାସିନ୍ଦା କେ.ଶ୍ରୀନୁ (୪୦) ଓ କେ. ଜିତେନ୍ଦ୍ର (୨୦)। ଦୀର୍ଘ ୨ ଘଣ୍ଟା ଧରି ରାୟଗଡ଼ା ଅଗ୍ନିଶମ ବିଭାଗ କର୍ମଚାରୀ ଖୋଜାଖୋଜି କରିଥିଲେ ମଧ୍ୟ କାହାର ପତ୍ତା ମିଳିନି। ଅନ୍ଧାର ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।

ପାରଳାଖେମୁଣ୍ଡି ସହର କାମ୍ପସାହି ବାସିନ୍ଦା କେ. ଶ୍ରୀନୁଙ୍କ ପରିବାର ଓ ଅନ୍ୟ ସଂପର୍କିୟ ପ୍ରାୟ ୧୬ ଜଣ ମଝିଘରିଆଣୀଙ୍କ ଦର୍ଶନ କରିବାକୁ ଆସିଥିଲେ । ମଧ୍ୟାହ୍ନ ୨ଟାରେ ମା’ ଙ୍କ ଦର୍ଶନ ସାରି ଖାଇବା ପରେ ନାଗାବଳୀ ନଦୀ ଉପରେ ଥିବା ଝୁଲା ପୋଲ ଦେଖିବାକୁ ଯାଇଥିଲେ । ଉକ୍ତ ସ୍ଥାନରେ ପରିବାର ଲୋକେ କିଛି ସମୟ ବିଶ୍ରାମ ନେବା ପରେ ଫୋଟ ଉଠାଇଥିଲେ । ତେବେ ଝୁଲା ପୋଲ ତଳେ ଥିବା ନାଗାବଳୀ ନଦୀ ପାର୍ଶ୍ବର ଏକ ପଥର ଉପରେ ବସି ବାପା କେ. ଶ୍ରୀନୁ ହାତ ଧୋଇବା ସମୟରେ ହଠାତ୍ ନଦୀର ପ୍ରଖର ସ୍ରୋତ ଭିତରେ ଭାସିଯାଇଥିଲେ । ଉକ୍ତ ସମୟରେ ଶ୍ରୀନୁଙ୍କ ବଡ ପୁଅ କେ. ଜିତେନ୍ଦ୍ର ବାପାଙ୍କୁ ଉଦ୍ଧାର କରିବା ଯାଇ ସେ ମଧ୍ୟ ନଦୀରେ ଭାସି ଯାଇଥିଲେ । ତେବେ ଦୁଇ ଜଣଙ୍କୁ ପରିବାର ପକ୍ଷରୁ ଉଦ୍ଦାର କରିବା ପାଇଁ ଉଦ୍ୟମ କରାଯାଇଥିବା ବେଳେ ପରିବାରର ଅନ୍ୟ ସଦସ୍ୟ ମାନେ ବିଫଳ ହୋଇ ରାୟଗଡ଼ା ଟାଉନ୍ ଥାନାକୁ ଅବଗତ କରାଇଥିଲେ ।

ଖବର ପାଇ ଟାଉନ ଥାନା ଅଧିକାରୀ ରଶ୍ମିରଂଜନ ପ୍ରଧାନ, ଏସଡିପିଓ ଦିବ୍ୟଜ୍ୟୋତି ଦାଶ, ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଅଗ୍ନିଶମ ବିଭାଗର ଏକ ଉଦ୍ଦାରକାରୀ ଦଳ ନଗାବଳୀ ନଦୀ ଭିତରେ ପ୍ରବେଶ କରି ଦୀର୍ଘ ଘଣ୍ଟା ଖୋଜାଖୋଜି କରିଥିଲେ ହେଁ ଦୁଇ ବାପା ପୁଅ ମିଳିନଥିଲେ । ତେବେ ରାତି ହୋଇଯିବାରୁ ଅଗ୍ନିଶମ ବିଭାଗ ଉଦ୍ଦାର କାର‌୍ୟ୍ୟକୁ ଅଧାରୁ ବନ୍ଦ କରିଦେଇଥିଲା । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳ ଓ ପାରଳାଖେମୁଣ୍ଡି କାମ୍ପ ସାହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ନାଗାବଳୀ ନଦୀ ମଧ୍ୟରେ ବଡ ବଡ ପଥର ରହିଥିବା ବେଳେ ଉକ୍ତ ପଥର କୋଣରେ ଦୁଇ ଜଣ ଚାପି ହୋଇ ରହିଯାଇଛନ୍ତି ନାଁ ସ୍ରୋତରେ ଅନ୍ୟ ଆଡେ ଭାସି ଯାଇଛନ୍ତି ତାକୁ ନେଇ ଉଭୟ ପୁଲିସ ଓ ଅଗ୍ନିଶମ ବିଭାଗ ତଦନ୍ତ କରୁଛି । ତେବେ ଏନେଇ ଟାଉନ ଥାନାରେ ପରିବାର ପକ୍ଷରୁ ଏକ ନିଖୋଜ ରିପୋର୍ଟ ଦାଖଲ କରାଯାଇଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର