୨ ପେସାଦାର ଅପରାଧି ଗିରଫ, ୨ ବନ୍ଧୁକ ଜବତ

ଖୋର୍ଦ୍ଧା: ଖୋର୍ଦ୍ଧା ପୁଲିସକୁ ଆଜି ଆଉ ଏକ ସଫଳତା ମିଳିଛି । ୬ରୁ ଉର୍ଧ୍ବ ଅପରାଧିକ ମାମଲାରେ ଜଡ଼ିତ ଥିବା ୨ ଅପରାଧିଙ୍କୁ ଗିରଫ କରିବା ସହ ସେମାନଙ୍କୁ ନିକଟରୁ ୨ଟି ବନ୍ଧୁକ ଜବତ କରିଛି ।

ଆଜି ଭୋର ୪ଟା ବେଳେ ପଲ୍ଲାଛକ ନିକଟସ୍ଥ ଏକ ରେସ୍ତୁରାଁ ନିକଟରେ ୪ଜଣ ଯୁବକ ଏକ ଟ୍ରକକୁ ଅଟକାଇବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ସେଠାରେ ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ପାଟ୍ରୋଲିଂ ଟିମ୍ ପହଂଚିଯାଇଥିଲା । ପୁଲିସକୁ ଦେଖି ୨ ଜଣ ସେଠାରୁ ଫେରାର୍ ହୋଇଯାଇଥିଲେ ।

ତେବେ ଅନ୍ୟ ଦୁଇଜଣଙ୍କୁ କାବୁ କରିବାକୁ ଗଲାବେଳେ ସେମାନେ ପାଲଟା ଆକ୍ରମଣ କରିବା ସହ ବନ୍ଧୁକ ଦେଖାଇ ଭୟଭୀତ କରି ଖସିଯିବାକୁ ଉଦ୍ୟମ କରିଥିଲେ । ଦୀର୍ଘ ସମୟ ଛକାପଂଝା ପରେ ଶେଷରେ ପୁଲିସ ୨ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲା ।

ଆଜି ଏନେଇ ସୂଚନା ଦେଇ ଏସ୍ଡିପିଓ ସୁଶୀଲ କୁମାର ମିଶ୍ର ଓ ଟାଉନ୍ ଥାନା ଅଧିକାରୀ ଉମାଶଙ୍କର ସିଂହ କହିଛନ୍ତି ଯେ ଗିରଫ ହୋଇଥିବା ଦୁଇଜଣ ହେଲେ ଖୋର୍ଦ୍ଧା ସାମନ୍ତରାପୁର ସ୍ୱପ୍ନେଶ୍ୱରପୁର ସାହିର ଲିଙ୍ଗରାଜ ଖଟେଇ ଓରଫ ଲିପୁଲ ଓରଫ ଲିଟୁ (୨୩) ଓ ଦଳେଇପୁଟର ଆକାଶ ବାରିକ (୨୦) ।

ସେମାନଙ୍କ ନିକଟରୁ ଦୁଇଟି ୯ଏମ୍ଏମ୍ ଓ ୬ ଏମ୍ଏମ୍ ପିସ୍ତଲ, ୩ଟି ଅଫୁଟା ଗୁଳି, ୨ଟି ମୋବାଇଲ୍ ଜବତ ହୋଇଛି । ଲିଟୁ ବିରୋଧରେ ଖୋର୍ଦ୍ଧା ଟାଉନ୍ ଥାନାରେ ୨୦୧୫ରେ ଗୋଟିଏ, ୨୦୧୭ରେ ୨ଟି, ୨୦୧୮ରେ ଗୋଟିଏ ଓ ନିକଟରେ ଗୁରୁଜଙ୍ଗ ଗୁଳିକାଣ୍ଡ ଘଟଣାରେ ମଧ୍ୟ ସମ୍ପୃକ୍ତ ରହିଛି । ଆକାଶର ଅପରାଧିକ ରେକର୍ଡ ସମ୍ପର୍କରେ ଯାଞ୍ଚ ଚାଲିଛି । ଏନେଇ ୮୮/୨୦୨୧ରେ ଆଇପିସି ଦଫା ୩୯୮, ୩୫୩, ୨୯୪, ୫୦୬, ୩୪ ଆଇପିସି ଓ ୨୫ ବେଆଇନ ଅସ୍ତ୍ରଶସ୍ତ୍ର ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ସମ୍ବନ୍ଧିତ ଖବର