ରାଜନଗର: ବାପା, ମା’ଙ୍କୁ ହରାଇ ଅସହାୟ ହୋଇପଡ଼ିଥିବା ରାଜନଗର ବ୍ଲକ ଗୁପ୍ତି ପଂଚାୟତ ଗୋପାଳପୁର ଗାଁର ଦୁଇ ଭଉଣୀ ସେମାନଙ୍କ ଦାଦାଙ୍କ ପାଖ‌ରେ ରହିବେ। ଏହି ଦୁଇ ଅନାଥ ଭଉଣୀଙ୍କ ପଢାଖର୍ଚ୍ଚ ସରକାର ବହନ କରିବେ। ସେମାନଙ୍କ ଦୁଃସ୍ଥିତି ସମ୍ପର୍କରେ ‘ସମ୍ବାଦ’ ଓ ‘କନକନ୍ୟୁଜ’ରେ ଖବର ପ୍ରସାରଣ ପରେ ଦୁଇ ଅନାଥ ନାବାଳିକାଙ୍କୁ ସହାୟତାର ସୁଅ ଛୁଟିଛି। ୯ ବର୍ଷ ତଳେ ସଡକ ଦୁର୍ଘଟଣାରେ ଦିବ୍ୟାଙ୍ଗ ବାପା ପ୍ରାଣ ହରାଇଥିଲେ। ମା’ ସ୍କୁଲରେ ପାଚିକା ଭାବେ କାମ କରି ଦୁଇ ନାବାଳିକା ଝିଅଙ୍କ ପେଟରେ ଦି’ ଓଳି ଦି’ ମୁଠା ଦାନା ଦେଉଥିଲେ। ଅଭାବୀ ସଂସାର ଭିତରେ ଅଧିକାଂଶ ସମୟରେ ଓଳିଏ ଖାଇଲେ ଆର ଓଳି ଉପବାସ ରହିବାକୁ ପଡୁଥିଲା। ଦୁଇ ନାବାଳିକାଙ୍କ ସାହାରା ସାଜିଥିବା ମା’କୁ ବି ଦଇବ ଛଡାଇ ନେଲା। ଆର୍ଥିକ ଅନଟନ ଭିତରେ କର୍କଟରେ ପୀଡିତ ହୋଇ ଦୀର୍ଘ ୮ମାସ ଧରି ଚିକିତ୍ସିତ ହେବା ପରେ ମା’ଙ୍କ ଆଖି ବୁଜିଥିଲେ। ଏବେ ସଂସାରରେ ଏକୁଟିଆ ହୋଇଯାଇଛନ୍ତି ଦୁଇ ନାବାଳିକା ଭଉଣୀ। ଗୋପାଳପୁର ଗାଁର ଦିବ୍ୟାଙ୍ଗ ରାଜକିଶୋର ରାଉତ ଶିକ୍ଷକତା କରୁଥିଲେ। ଆଶା ବାଡି ଧରି ବିଦ୍ୟାଳୟକୁ ଯାଇ ପାଠ ପଢାଉଥିଲେ। ୨୦୧୨ରେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା। ରାଜକିଶୋର ନିୟମିତ ହୋଇନଥିବାରୁ ପରିବାରକୁ କୌଣସି ସହାୟତା ମିଳିନଥିଲା। ନିଜର ଦୁଇ ଛୋଟ ଝିଅଙ୍କ ପେଟରେ ଦି ମୁଠା ଦାନା ଦେବା ପାଇଁ ବାରମ୍ବାର ଦୌଡିବା ପରେ ରାଜଲକ୍ଷ୍ମୀ ରାଉତ ବନବିହାରୀଜିଉ ହାଇସ୍କୁଲରେ ପାଚିକା ଭାବେ କାମ ମିଳିଥିଲା। ହେଲେ, ରାଜଲକ୍ଷ୍ମୀ କର୍କଟରେ ପୀଡିତ ହୋଇଥିଲେ। ଆର୍ଥିକ ଅନଟନ ଯୋଗୁଁ ନିଜର ଚିକିତ୍ସା କରାଇପାରିନଥିଲେ।

Advertisment

ଚିକିତ୍ସା ଅଭାବରୁ ୧୫ଦିନ ତଳେ ରାଜଲକ୍ଷ୍ମୀଙ୍କ ମୃତ୍ୟୁ ଘଟିଛି। ଦୁଇ ଝିଅ ଅର୍ପିତା(୧୫), ଅଙ୍କିତା (୧୨) ଅସହାୟ ହୋଇପଡିଛନ୍ତି। ଗାଁ ଠୁଁ କିଛି ଦୂରରେ ଥିବା ତାଙ୍କର ଆଜବେଷ୍ଟସ ଘରେ ଦୁଇ ନାବାଳିକା ଭଉଣୀ ରହୁଛନ୍ତି। ୧୫ଦିନ ହେଲା ସେମାନଙ୍କ ଆଖିରୁ ଲୁହ ଶୁଖିନି। ଜଣେ ନବମ ଓ ଆଉ ଜଣେ ସପ୍ତମ ଶ୍ରେଣୀରେ ପଢୁଛି। ସେମାନେ ପାଠ ପଢିବାକୁ ଚାହୁଁଛନ୍ତି। କିପରି ପାଠ ପଢିବେ ଓ ବଂଚି ରହିବେ ସେ ଦାୟିତ୍ବ ସରକାର ନିଅନ୍ତୁ ବୋଲି ଦୁଇ ଭଉଣୀ କାନ୍ଦି କାନ୍ଦି କହିଥିଲେ। ଏହି ଖବର ‘ସମ୍ବାଦ’ ଓ ‘କନକନ୍ୟୁଜ’ରେ ପ୍ରସାରଣ ପରେ ଦୁଇ ଅନାଥ ନାବାଳିକାଙ୍କୁ ସହାୟତାର ସୁଅ ଛୁଟିଛି। ରାଉରକେଲାରୁ ଅନୁଗୁଳ, ଭଦ୍ରକ ରୁ ଭୂବନେଶ୍ବର ଯାଏ ବହୁ ବଦାନ୍ୟ ବ୍ୟକ୍ତି ଏହି ଦୁଇ ଅନାଥ ଭଉଣୀଙ୍କୁ ସମବେଦନା ଜ୍ଞାପନ କରିବା ସହ ସହାୟତା କରୁଛନ୍ତି। ବହୁ ବ୍ୟକ୍ତି ଝିଅ କରି ନେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ମଧ୍ୟ ଦୁଇ ଭଉଣୀ ଅଲଗା ହେବାକୁ ଚାହିଁ ନ ଥିଲେ। ସେମାନେ ଏକାଠି ରହିବେ ବୋଲି ନିଷ୍ପତ୍ତି ନେଇ କାହା ସାଙ୍ଗରେ ଯାଇ ନ ଥିଲେ। ଆଜି ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଭଗବତୀ ପ୍ରସାଦ ଦାସଙ୍କ ନେତୃତ୍ବରେ ସଦସ୍ୟ କିଶୋର ସ୍ବାଇଁ, ଶ୍ରୀକାନ୍ତ ନାୟକ, ସିଡିପିଓ ବାଜମ ଆରା ବେଗମ, ଅଙ୍ଗନବାଡ଼ି କର୍ମୀ କବିତା ବାରିକ ପ୍ରମୁଖ ୨ ଉଭଣୀଙ୍କୁ ସମବେଦନା ଜଣାଇବା ସହ ସେମାନଙ୍କ ଦୁଃଖ କାହାଣୀ ଶୁଣିଥିଲେ। ସରପଂଚ ଶାନ୍ତିଲତା ବିଶ୍ବାଳ, ସମିତିସଭ୍ୟା ମିନତୀ ସାହୁ ପ୍ରମୁଖ ଜିଲ୍ଲା ଶିଶୁ ମଙ୍ଗଳ କମିଟି ସହ ଆଲୋଚନା କରିଥିଲେ। ଦୁଇ ଅନାଥ ନାବାଳିକା ଭଉଣୀଙ୍କ ଦାଦା ନବ କିଶୋର ରାଉତଙ୍କ ସହ ଆଲୋଚନା କରିଥିଲେ। ଦାଦା, ଖୁଡି ଦୁଇ ଝିଅଙ୍କୁ ପାଖରେ ରଖିବେ ବୋଲି ଲିଖିତ ଭାବେ ପ୍ରତିଶ୍ରୁତି ଦେଇଥିଲେ। ସାବାଳିକା ହେବା ଯାଏ ଦୁଇ ଭଉଣୀ ଦାଦା ଖୁଡିଙ୍କ ପାଖରେ ରହିବେ। ଦୁଇ ଉଭଣୀ ଉଚ୍ଚ ଶିକ୍ଷା ଲାଭ କରିବା ଯାଏ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ଜିଲ୍ଲା ଶିଶୁ ମଙ୍ଗଳ କମିଟି ପ୍ରତିଶ୍ରୁତି ଦେଇଛନ୍ତି। ଆଜିଠାରୁ ଦୁଇ ଭଉଣୀ ଦାଦା ଖୁଡ଼ିଙ୍କ ପାଖରେ ରହିଛନ୍ତି।