ବେସାହାରା ଦୁଇଭଉଣୀଙ୍କୁ ସହାୟତାର ହାତ ବଢ଼ାଇଲେ ସମାଜସେବୀ

ବାଲିଅନ୍ତା: ମୁଖ ଗହ୍ବର କର୍କଟରୋଗରେ ଶଯ୍ୟାଶାୟୀ ସ୍ଥାନୀୟ କଇଜଙ୍ଗା ଗ୍ରାମର ରାଜମିସ୍ତ୍ରୀ ଜୟୀରାମ ପ୍ରଧାନଙ୍କ ଚିକିତ୍ସା ଖର୍ଚ୍ଚ ସହ ତାଙ୍କ ପରିବାର ଖର୍ଚ୍ଚ ତୁଲାଇବା ପାଇଁ  ସମାଜସେବୀ ବିଜୟ କୁମାର ନାୟକ (ବୁଟୁ) ସହାୟତାର ହାତ ବଢ଼ାଇଛନ୍ତି । ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ସେ ହୋଇଥିବାରୁ ସ୍ବାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ହେବା ପରେ ଦୀର୍ଘ ୧ ବର୍ଷ ହେଲା ଆଉ କାମ କରିବାକୁ ଯାଇ ପାରୁ ନାହାନ୍ତି । ଅନ୍ୟପକ୍ଷରେ ରୋଜଗାରର ଅନ୍ୟ କୌଣସି ସମ୍ବଳ ନଥିବାରୁତେଣୁ ଅଭାବ ପରିବାର ବେସାହାରା ହୋଇପଡ଼ିଛନ୍ତି । ଏପରିକି ଓଳିଏ ଖାଇଲେ ଆରଓଳିକ ଉପାସରେ ରହୁଛନ୍ତି ।

ନବମ ଶ୍ରେଣୀରେ ପାଠ ପଢ଼ୁଥିବା ବଡ଼ ଝିଅ ଶୁଭଶ୍ରୀ ଓ ଅଷ୍ଟମ ଶ୍ରେଣୀରେ ସାନଝିଅ ଗାୟତ୍ରୀଙ୍କ ପାଠପଢ଼ାରେ ଡୋରି ବନ୍ଧା ହେବା ଭଳି ପରସ୍ଥିତି ସୃଷ୍ଟି ହୋଇଥିଲା । ସରକାରୀ ସହାୟତା ପାଇବା ପାଇଁ ଦୁଇ ଭଉଣୀ ବାଲିଅନ୍ତା ତହସିଲ, ପଞ୍ଚାୟତ ସମିତି କାର୍ଯ୍ୟାଳୟ ଏବଂ ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏକାଧିକ ଥର ଅଭିଯୋଗ କରିଛନ୍ତି । ହେଲେ କିଛି ସୁଫଳ ମିଳିନାହିଁ । କୌଣସି ଦପ୍ତରରୁ ଉକ୍ତ ପରିବାରକୁ ଆର୍ଥିକ ସହାୟତା ମିଳିପାରି ନାହିଁ । ଶେଷରେ ନିରାଶ ନହୋଇ ଶୁଭଶ୍ରୀ ଓ ଗାୟତ୍ରୀ ବାପାଙ୍କ ଚିକିତ୍ସା ନେଇ ଟଙ୍କା ଯୋଗାଡ଼ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ । ବାପାଙ୍କର କୌଳିକ ବୃତ୍ତିକୁ ପାଥେୟ କରି ଗଜ ଓ କରଣୀ ଧରି ରାଜମିସ୍ତ୍ରୀ କାମ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ ।

ଗତକାଲି ‘‘ ସମ୍ବାଦ’’ ରେ ପ୍ରକାଶ ପାଇଥିବା ଏସଂପର୍କିତ ଖବର ପଢ଼ି ସାରିବା ପରେ ସମାଜସେବୀ ବିଜୟ ଆଗେଇ ଆସିଥିଲେ  । ଆଜି ଅପରାହ୍ନରେ ଉକ୍ତ ପରିବାର ଲୋକଙ୍କୁ ଭେଟି ୨୦ ହଜାର ଟଙ୍କା ସହିତ ୬ ମାସ ଲାଗି ଆବଶ୍ୟକ ରାସନ ସାମଗ୍ରୀ ଯୋଗାଇ ଦେଇଛନ୍ତି । ଏହା ସହିତ ଶୁଭଶ୍ରୀ ଓ ଗାୟତ୍ରୀଙ୍କ ପାଠପଢ଼ା ଖର୍ଚ୍ଚ ତୁଲାଇବା ପାଇଁ ବ୍ୟାଙ୍କ ଆକାଉଣ୍ଟ ନମ୍ବରରେ ପ୍ରତିମାସରେ ୩ ହଜାର ଟଙ୍କା ପ୍ରଦାନ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି । ଉପରୋକ୍ତ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଦାବି ହେଉଛି ।

ସମ୍ବନ୍ଧିତ ଖବର