ଅନଲାଇନ୍ ପାଠପଢ଼ା ପାଇଁ ନାହିଁ ମୋବାଇଲ୍ : କିଣିବାକୁ ବିଲରେ ମୂଲ ଲାଗିଲେ ଦୁଇ ଛାତ୍ରଛାତ୍ରୀ

ରାୟଗଡ଼ା: ମୋବାଇଲ୍ କିଣିବାକୁ ଘରେ ନାହିଁ ସମ୍ବଳ। ବାପାମାଆ ମୂଲ ଲାଗିଲେ ପରିବାର ଚଳୁଛି। ସ୍କୁଲ୍ ଖୋଲିବାରେ ବିଳମ୍ବ ହେଉଥିବାରୁ ନିରୁପାୟ ହୋଇ ପାଠ ପଢ଼ିବାକୁ ମୂଲ ଲାଗିବାକୁ ନିଷ୍ପତ୍ତି ନେଲୁ। ମୂଲ ବାବଦକୁ ମିଳୁଥିବା ଟଙ୍କା ଜମା କରି ମୋବାଇଲ୍ କିଣିବୁ…।

ଅନଲାଇନ୍ ପାଠପଢ଼ା ପାଇଁ ମୋବାଇଲ୍ କିଣିବାକୁ ଶେଷରେ ମାଣ୍ଡିଆ ବିଲରେ ମୂଲ ଖଟିଛନ୍ତି ରାୟଗଡ଼ା ବ୍ଲକ୍ ହାଲୁଆ ପଞ୍ଚାୟତର ଜାମୁଲିମା ଗାଁର ଦୁଇ ଛାତ୍ରଛାତ୍ରୀ। ଗାଁର ଆନନ୍ଦ ବିଡ଼ିକାଙ୍କ ପରିବାର ଅତି ଗରିବ ଶ୍ରେଣୀର ହୋଇଥିବାରୁ ଆନନ୍ଦଙ୍କ ପୁଅ ରୋହିତ ବିଡ଼ିକା, ଝିଅ ମୋନିକା ବିଡ଼ିକା ଗତ ୩ ଦିନ ହେଲା ମାଣ୍ଡିଆ ବିଲରେ ମୂଲ ଲାଗିଛନ୍ତି। ଏକ ମାତ୍ର ଲକ୍ଷ୍ୟ ମୂଲ ଟଙ୍କାରେ ମୋବାଇଲ୍ କିଣିବେ। ଦିନକୁ ଶହେରୁ ଦେଢ଼ ଶହ ଟଙ୍କା ମୂଲ ବାବଦକୁ ମିଳୁଥିବା ବେଳେ ଉକ୍ତ ଟଙ୍କାରେ ଏକ ମୋବାଇଲ୍ କିଣି ପାଠ ପଢ଼ିବାକୁ ସ୍ଥିର କରିଛନ୍ତି ରୋହିତ ଓ ମୋନିକା। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଗାଁଠୁ ୮ କିମି ଦୂରରେ ଥିବା ଆମ୍ବାଗୁଡା ସ୍କୁଲରେ ପାଠ ପଢ଼ୁଛନ୍ତି ରୋହିତ ଓ ମୋନିକା। ରୋହିତ ସପ୍ତମ ଏବଂ ମୋନିକା ଷଷ୍ଠ ଶ୍ରେଣୀରେ ପଢ଼ୁଛନ୍ତି। କରୋନା ମହାମାରୀ ଲାଗି ସ୍କୁଲ୍ ବନ୍ଦ ରହିଥିବାରୁ ବିକଳ୍ପ ଶିକ୍ଷା ଭାବେ ସରକାର ଅନଲାଇନରେ ଶିକ୍ଷାଦାନ ଜାରି ରଖିଛନ୍ତି। ରୋହିତ, ମୋନିକା ରହୁଥିବା ଜାମୁଲିମା ଗାଁରେ ମୋବାଇଲ୍ ନେଟୱର୍କ ଅଛି। କିନ୍ତୁ ଏହି ଦୁଇ ଛାତ୍ରଛାତ୍ରୀଙ୍କ ପରିବାରର କାହା ପାଖରେ ମୋବାଇଲ୍ ନାହିଁ। ବାପା ଆନନ୍ଦ ବିଡିକା ପରିବାରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଅଟନ୍ତି। ଚାଷ ଓ ଦିନ ମଜୁରିଆ ଭାବେ କାମ କରି ଆନନ୍ଦ ୮ ପ୍ରାଣୀ କୁଟୁମ୍ବ ଚଳାଉ ଥିବାରୁ ବହୁ ଚେଷ୍ଟା ସତ୍ତ୍ବେ ମୋବାଇଲ୍ ଖଣ୍ଡିଏ କିଣିବାରେ ସକ୍ଷମ ହୋଇପାରି ନାହାନ୍ତି। ପାଠ ପଢ଼ି ଭଲ ମଣିଷ ହେବାକୁ ଇଚ୍ଛା ରଖିଥିବା ମୋନିକା ଓ ରୋହିତ ପରିବାରର ଅକ୍ଷମତା ପରେ ନିଜେ ମୂଲ ଲାଗି ମୋବାଇଲ୍ କିଣିବା ଲାଗି ଘରୁ ଗୋଡ କାଢ଼ିଛନ୍ତି।

ବାପାଙ୍କୁ ଚାପ ମୁକ୍ତ କରିବା ପାଇଁ ମୋନିକା, ରୋହିତ ଗାଁ ପାଖରେ ଥିବା ମାଣ୍ଡିଆ ବିଲରେ ମୂଲ ଖଟିବା ଆରମ୍ଭ କରିଛନ୍ତି। ମୂଲ ବାବଦ ଟଙ୍କା ସହ ସଞ୍ଚିତ ଥିବା କିଛି ଅର୍ଥରେ ମୋବାଇଲ୍ କିଣି ପାଠ ପଢ଼ିବାକୁ ଉଭୟେ ଇଚ୍ଛା ପ୍ରକାଶ କରିଛନ୍ତି। କେବଳ ରୋହିତ, ମୋନିକା ନୁହଁନ୍ତି ଏହି ଗ୍ରାମର ଅଧିକାଂଶ ଛାତ୍ରଛାତ୍ରୀଙ୍କ ପାଖରେ ମୋବାଇଲ୍ ଫୋନ୍ ନଥିବାରୁ ଅନଲାଇନ୍ ଶିକ୍ଷାଦାନରୁ ବଞ୍ଚିତ ହୋଇଛନ୍ତି। ଡିସେମ୍ବର ୩୧ ପରେ କରୋନା ସ୍ଥିତିକୁ ଦେଖି ସ୍କୁଲ୍ ଖୋଲିବା ଦିଗରେ ଚିନ୍ତା କରିବେ ବୋଲି ସରକାର ଘୋଷଣା କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଅନଲାଇନ୍ ଶିକ୍ଷାକୁ ସରକାର ବିକଳ୍ପ ଶିକ୍ଷା ଭାବେ ଗ୍ରହଣ କରିଛନ୍ତି। କିନ୍ତୁ ରାୟଗଡ଼ା ଜିଲ୍ଲାର ଅଧିକାଂଶ ଛାତ୍ରଛାତ୍ରୀ ନେଟୱର୍କ ଓ ମୋବାଇଲ୍ ନଥିବାରୁ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି।

ସମ୍ବନ୍ଧିତ ଖବର