ରଣ୍ଡାପାଲ୍ଲୀ ପଂଚାୟତରେ ଦୁଇ  ଆତ୍ମହତ୍ୟା

ଜୟପୁର:  ଜୟପୁର ସଦରଥାନା ଅନ୍ତର୍ଗତ ରଣ୍ଡାପାଲ୍ଲୀ ପଂଚାୟତର ରଣ୍ଡାପାଲ୍ଲୀ ଓ ବୈରାଗୀମଠରେ ଦିନ‌କରେ ଦୁଇଟି ଆତ୍ମହତ୍ୟା ହୋଇଛି। ପ୍ରଥମ ଘଟଣାଟିରେ ରଣ୍ଡାପାଲ୍ଲୀ ଗାଁର ସ୍ବର୍ଗତ ଶିଶିର ଆଚାର୍ଯ୍ୟଙ୍କ ପୁଅ ଶୁଭାଶିଷ ଆଚାର୍ଯ୍ୟ (୫୫) ବେକରେ ଚୁନି ଦେଇ ଆତ୍ମହତ୍ୟା କରିଛନ୍ତି। କିଛି ଦିନ ହେବ ଶୁଭାଶିଷ ମାନସିକ ଅବସାଦରେ ଏଣେ ତେଣେ ବୁଲୁଥିଲେ। କାଲି ରାତିରେ ରାତ୍ରଭୋଜନ ପରେ ନିଜ ରୁମକୁ ଶୋଇବାକୁ ଯାଇଥିଲେ। ସକାଳୁ ସେ ନ ଉଠିବାରୁ ପରିବାରବର୍ଗ କବାଟ ବାଢ଼େଇଥିଲେ। ସେ କବାଟ ଖୋଲି ନଥିଲେ। ପରେ ସଂଦେହ ଉପୁଜିବାରୁ ଜୟପୁର ସଦରଥାନା ପୁଲିସକୁ ସୂଚନା ଦେଇଥିଲେ। ଏସଆଇ ନବୀନ ଟପ୍ପୋ ଘଟଣାସ୍ଥଳକୁ ଯାଇ କବାଟ ଭାଙ୍ଗି ଦେଖିବାରେ ସେ ବେକରେ ଚୁନି ଦେଇ ଓହଳି ପଡ଼ିଛନ୍ତି। ତାଙ୍କୁ ତଳକୁ ଓହ୍ଲାଇ ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଶବବ୍ୟାବଛେଦ କରି ପରିବାରବର୍ଗକୁ ହସ୍ତାନ୍ତର କରିଥିବା କହିଛନ୍ତି ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି।

ସେଭଳି ଗତ ୬ତାରିଖ ଉପରବେଳା ସାଢ଼େ ୩ଟା ବେଳେ  ରଣ୍ଡାପାଲ୍ଲୀ ପଂଚାୟତର ବୈରାଗୀମଠ ଗାଁର ବୁଧୁ ପରଜାଙ୍କ ସ୍ତ୍ରୀ ସନାଇ ପରଜା  ବିଷ ପିଇଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ୬ତାରିଖ ଦିନ ରାତିରେ କୋରାପୁଟ ସହିଦଲକ୍ଷ୍ମଣ ନାୟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଗତ କାଲି ଅପରାହ୍ନ ସାଢ଼େ ୩ଟା ବେଳେ ସନାଇର ମୃତ୍ୟୁ ହୋଇଥିଲା। ଏ ନେଇ ଜୟପୁର ସଦରଥାନା ଅର୍ନ୍ତଗତ ଆମ୍ବାଗୁଡା ପାଣ୍ଡିରେ ମାମଲା ରୁଜୁ କରାଯାଇଥିଲା। ପାଣ୍ଡି ଅଧିକାରୀ ପ୍ରଶାନ୍ତ ମହାନ୍ତି କୋରାପୁଟ ବଡ ମେଡିକାଲକୁ ଯାଇ ଶବର ପଂଚନାମା କରିଥିଲେ। ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ଅସିଷ୍ଟାଣ୍ଟ କଲେକ୍ଟର ଅହଲ୍ୟା ମୁଦୁଲି ଓ ପୁଲିସ ଉପସ୍ଥିତିରେ ଶବବ୍ୟାବଛେଦ କରାଯାଇ ତାଙ୍କ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଥିଲା। ଗତ ଦୁଇ ମାସ ତଳେ ବୁଧୁ କଳାଗୁଡା ଗାଁର ସନାଇଙ୍କୁ ବାହା ହୋଇଥିଲେ।ଉଭୟ ଅତ୍ୟାଧିକ ମଦ୍ୟପାନ  କରି ନିଶାଶକ୍ତ ଅବସ୍ଥାରେ ରହୁଥିଲେ। ଉଭୟ କୌଣସି କଥାକୁ କେନ୍ଦ୍ର କରି ଗତ ୬ତାରିଖ ଦିନ ଝଗଡ଼ା ଓ ମନ‌ମାଳିନ୍ୟ ହୋଇଥିଲା। ଏହାକୁ ନେଇ ସନାଇ ମଦ ସହ ବିଷ ମିଶାଇକି ପିଇ ଦେଇଥିବା ଗ୍ରାମବାସୀ ମାନେ କହିଛନ୍ତି।

ସମ୍ବନ୍ଧିତ ଖବର