ଗଂଜାମରେ ୨ ଜଣ ସୁରତ ଫେରନ୍ତାଙ୍କ ମୃତ୍ୟୁ: ଜଣେ ଘରେ; ଅନ୍ୟ ଜଣେ ହସ୍‌ପିଟାଲରେ

ବ୍ରହ୍ମପୁର କୋଭିଡ ହସ୍ପିଟାଲରେ ସୁରତ ଫେରନ୍ତାଙ୍କ ମୃତ୍ୟୁ ପରେ ସାନଭାଇ ଆଣିଲେ ଚିକିତ୍ସାରେ ଅବହେଳା ଅଭିଯୋଗ

ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ଆଜି ୨ଜଣ ସୁରତ ଫେରନ୍ତାଙ୍କର ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରୁ ଜଣେ ଘରେ ପ୍ରାଣ ହାରିଥିବା ବେଳେ ଅନ୍ୟ ଜଣଙ୍କର କୋଭିଡ ହସ୍‌ପିଟାଲରେ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ସନ୍ତୋଷ ବରାଡ଼ (୫୨) ଓ ପ୍ରଭାକର ଗୌଡ଼ (୪୦)।

ସୂଚନା ଅନୁସାରେ ଆଜି କୋଭିଡ-୧୯ ହସ୍‌ପିଟାଲରେ ଗଂଜାମ ଜିଲ୍ଲାର ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଖଇରପୁଟି ଗ୍ରାମପଂଚାୟତର ସାନସଦରା ଗାଁର ସନ୍ତୋଷ ବରାଡ଼ଙ୍କର ମୃତ୍ୟୁ ହୋଇଛି। ସନ୍ତୋଷ ବରାଡ଼ ଗତ ମେ’ ମାସ ୩୦ରେ ଗୁଜୁରାଟର ସୁରତରୁ ଫେରିଥିଲେ। ସେ କ୍ଷେତ୍ରିବ୍ରହ୍କପୁର ପଂଚାୟତର ପ୍ରତାପଲକ୍ଷ୍ମଣପୁର ଗାଁରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ସଂଗରୋଧ କେନ୍ଦ୍ରରେ ଥିଲେ। କିନ୍ତୁ ୩ ରୁ ୪ ଦିନହେବ ଅସୁସ୍ଥ ଥିଲେ।

ସନ୍ତୋଷ ବରାଡ଼ ଗତକାଲି ଅଧିକ ଥଣ୍ଡା ଅନୁଭବ କରିବାରୁ ସାନ ଭାଇ ବିନୋଦ ବରାଡ଼ ଏକ ଭଡାଗାଡ଼ିରେ ଭଞ୍ଜନଗରସ୍ଥିତ କୋଭିଡ କେୟାର ସେଣ୍ଟରକୁ ନେଇଥିଲେ। ସନ୍ତୋଷ ଅଧିକ ଅସୁସ୍ଥ ହେବାରୁ ତାଙ୍କୁ ବ୍ରହ୍ମପୁର କୋଭିଡ-୧୯ ହସ୍‌ପିଟାଲ ନିଆଯାଇଥିଲା। ହସ୍‌ପିଟାଲରେ ସନ୍ତୋଷଙ୍କର ମୃତ୍ୟୁ ହୋଇଛି। ତେବେ ପ୍ରଶାସନର ଅବହେଳା ଯୋଗୁଁ ସନ୍ତୋଷର ମୃତ୍ୟୁ ହୋଇଥିବା ସାନଭାଇ ବିନୋଦ ଅଭିଯୋଗ କରିଛନ୍ତି।

ସେହିପରି ବୁଗୁଡ଼ା ବ୍ଳକ ଏ.କରଣାବାଡି ପଂଚାୟତ ବଣପଲ୍ଲୀ ଗାଁରେ ଘରୋଇ ସଂଗରୋଧରେ ଥିବା ଜଣେ ସୁରତ ଫେରନ୍ତାଙ୍କର ମୃତ୍ୟୁ ଘଟିଛି। ପ୍ରଭାକର ଗୌଡ଼ (୪୦) ଗତ ୨୫ରେ ସୁରତରୁ ଫେରି ବୁଗୁଡ଼ା ବ୍ଲକର ପାଣିକେଶ୍ୱର ସଂଗରୋଧ କେନ୍ଦ୍ରରେ ରହି ଘରକୁ ଫେରିଥିଲେ। ପରେ ଜ୍ୱର ହେବା ପରେ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ ଗଂଜାମ ଜିଲ୍ଲାର ସଂଗରୋଧ କେନ୍ଦ୍ରରେ ପୂର୍ବରୁ ମଧ୍ୟ ଲୋକଙ୍କର ମୃତ୍ୟୁ ଘଟିଥିବା ନଜର ରହିଛି। ଆସିକା ବ୍ଲକ ଅଧୀନ ଖୁଣ୍ଡୁଣ୍ଡିଆ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ଗତ ମେ’ ୨୦ ତାରିଖରେ ଗଂଗାପୁର ପଞ୍ଚାୟତ ରାଜେନ୍ଦ୍ରପୁର ଗ୍ରାମରେ ରାମହରି ସ୍ୱାଇଁ ଓ ସୁନୀତା ସ୍ୱାଇଁଙ୍କର ୬ ମାସର ଶିଶୁପୁତ୍ରର ଆକସ୍ମିକ ମୃତ୍ୟୁ ଘଟଣା ଘଟିଥିଲା। ସେହିପରି ପୋଲସରା ବ୍ଲକ ଢୁଙ୍କାପଡ଼ା ଉଚ୍ଚ ବିଦ୍ୟାଳୟ ସଂଗରୋଧ କେନ୍ଦ୍ରରେ ମଧୁପଲ୍ଲୀ ପଞ୍ଚାୟତ ମଧୁପଲ୍ଲୀ ଗାଁର ମାଟିଆ ସାହିର ପ୍ରଫୁଲ ବେହେରା (୪୦)ଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର