ଟ୍ରାଫିକ୍ଛକ ସିଗନାଲ୍ ଲାଇଟ୍ ପାଇଁ ହେଲାଣି ୨ଥର ଟେଣ୍ଡର: ଭାଗ ନେଉ ନାହାନ୍ତି ଠିକାଦାର

ଜୟପୁର: ଗତ ୩ବର୍ଷ ହେବ ଜୟପୁର ଟ୍ରାଫିକ୍ ଛକର ସିଗନାଲ୍ ଲାଇଟ୍ ଆଉ କାମ କରୁନି। ଏଠାରେ ନୂଆ ଟ୍ରାଫିକ୍ ସିଗନାଲ୍ ଲାଇଟ୍ ଲଗାଯିବାକୁ ସଂପ୍ରତି ଯୋଜନା ଚାଳିଛି। ଏହାରି ମଧ୍ୟରେ ଉପଜିଲ୍ଲାପାଳ ତଥା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ହେମକାନ୍ତ ସୟ ୨ଥର ଏଥି ପାଇଁ ଟେଣ୍ଡର ବି ଆହ୍ବାନ କରିଥିଲେ। ତେବେ କେହି ଏଥିରେ ଭାଗ ନେଉ ନଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଜାତୀୟ ରାଜପଥ ୨୬ ମଝିରେ ତଥା ସହରର ପ୍ରମୁଖ ପ୍ରବେଶ ପଥରେ ରହିଛି ଏହି ସିଗନାଲ୍ ଲାଇଟ୍। ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଶହ ଶହ ଭାରୀଯାନ, ଟ୍ରକ, ବସ, ଭ୍ୟାନ, କାର, ବାଇକ୍ ଆଦି ଯିବା ଆସିବା କରୁଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ଛତିଶଗଡ଼, କଳାହାଣ୍ଡି , ପଶ୍ଚିମ ଓଡିଶା ଆଦି ସ୍ଥାନକୁ ଯିବା ସମୟରେ ଏହାକୁ ଅତିକ୍ରମ କରି ଯିବାକୁ ପଡ଼ିଥାଏ। ତେବେ ସିଗନାଲ୍ ଲାଇଟ୍ ଲାଗୁ ନଥିବାରୁ ଟ୍ରାଫିକ ଛକରେ କାର୍ଯ୍ୟରତ ଟ୍ରାଫିକ୍ କନେଷ୍ଟବଲ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏସଂପର୍କରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ହେମକାନ୍ତ ସୟଙ୍କୁ ପଚାରିବାରେ ସେ କହିଲେ ଦୁଇ ଥର ଟେଣ୍ଡର କରାଯାଇଥିଲା। କିନ୍ତୁ କେହି ଭାଗ ନେଇ ନାହାନ୍ତି। ତେବେ ପୁଣିଥରେ ଟେଣ୍ଡର କରାଯାଇ କିଭଳି ଏହି ଲାଇଟ୍ ଲାଗିବ ତାହାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ।

ସମ୍ବନ୍ଧିତ ଖବର