ପୋଲ ଉପରେ ହାଇୱା-ଡମ୍ଫର ମୁହାଁମୁହିଁ ଧକ୍କା: ଅଳ୍ପକେ ବର୍ତ୍ତିଲା ବଡ ଧରଣର ଅଘଟଣ

ହରଭଙ୍ଗା: ମଙ୍ଗଳବାର ସକାଳୁ ବୌଦ୍ଧ ଜିଲ୍ଲା ଚାରିଛକ-ହରଭଙ୍ଗା ପୂର୍ତ୍ତରାସ୍ତାର ଶଗଡ଼ିଆ ପୋଲ ଉପରେ ମହାନଦୀ ବାଲି କୁଆରୀରୁ ବାଲି ବୋଝେଇ ଏକ ହାଇୱା ଓ ସମ୍ମୁଖ ପଟୁ ଆସୁଥିବା ଏକ ଡମ୍ଫର ସହ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଉଭୟ ଗାଡି କ୍ଷତିଗ୍ରସ୍ତ ହୋଇଛି। ମାତ୍ର ସୌଭାଗ୍ୟ ବସତଃ ବାଲି ବୋଝେଇ ହାଇୱାଟି ପୋଲ ତଳକୁ ଖସିବା ଅବସ୍ଥାରେ ଅଟକି ରହିଛି। ଏଥିରେ ହାଇୱା ଚାଳକ ଜଣକ ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି।

ପ୍ରାପ୍ତ ସୂଚନା ମତେ ଆଜି ସକାଳ ପ୍ରାୟ ୭ଟା ବେଳେ ହାଇୱା (ଓଡି ୧୫ ଏଫ୍‌ ୭୮୬୪) ମହାନଦୀରୁ ବାଲି ନେଇ ସାମ୍ନା ପଟୁ ମହାନଦୀକୁ ବାଲି ନେବାପାଇଁ ଆସୁଥିବା ଡମ୍ପର (ଓଡି ୧୨ବି ୮୪୬୫) ସହିତ ଶଗଡ଼ିଆ ପୋଲ ଉପରେ ମୁହାଁମୁହିଁ ଧକ୍କା ହୋଇଥିଲା। ବାଲି ବୋଝେଇ ହାଇୱାଟି ଖାଲିଥିବା ଡ଼ମ୍ଫରଟିକୁ ପ୍ରାୟ ୨୦ଫୁଟ ପର୍ଯ୍ୟନ୍ତ ଘୋଷାଡି ନେବା ସମୟରେ ହାଇୱାର ବାମ ପାର୍ଶ୍ୱର ଗୋଟିଏ ଆଗ ଚକ ପୋଲ ତଳକୁ ଝୁଲି ରହିଥିଲା। ଖବର ପାଇ ହରଭଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଉଭୟ ଗାଡି ଫୁଲବାଣୀର ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର